STORYMIRROR

Upendra prasad Mahala

Inspirational

3  

Upendra prasad Mahala

Inspirational

ଦିବ୍ୟ ଚେତନାର ଦ୍ୱାର

ଦିବ୍ୟ ଚେତନାର ଦ୍ୱାର

1 min
241

ତୁମେ ହିଁ ଦିବ୍ୟ ଚେତନାର ଦ୍ୱାର
ତୁମେ ଧର୍ମ  ଅର୍ଥ  କାମ  ମୋକ୍ଷ
ଚତୁଃବର୍ଗ ପ୍ରାପ୍ତିର ମହତୀ ମାର୍ଗ
ଭକ୍ତିର ପୂଣ୍ୟମୟ ଧାମ  ପୂର୍ବ ଦ୍ୱାର।
ତୁମେ ଉପାସ୍ୟ ଓ ଉପାସନା ସ୍ଥଳ  
ପିଆସୀଙ୍କ ହୃଦ କନ୍ଦରେ ଢାଳି ଦିଅ
ଶାନ୍ତି ଓ ପ୍ରେମମୟ ଅମୃତର ଧାରା
ଆତ୍ମାରେ ଭରିଦିଅ ଅପୂର୍ବ ପୁଲକ ।
 
ତୁମେ "ମେଘନାଦ"ର ନାଦ  ପ୍ରଥମ
ଓଁକାର  ତୁମେ ପୂର୍ବଶାର ମଧ୍ୟଭାଗ ।
ପଶ୍ଚିମେ ବ୍ୟାଘ୍ରଦ୍ୱାର ବୈରାଗ୍ୟଦାୟୀ  
ଦକ୍ଷିଣରେ ଜ୍ଞାନର ପ୍ରତୀକ ଅଶ୍ୱଦ୍ୱାର
ଉତ୍ତରରେ ହସ୍ତୀଦ୍ୱାର ଐଶ୍ୱର୍ଯ୍ୟସୂଚକ ।
ଚାରି ଦ୍ୱାର ମଧ୍ୟେ ତୁମେ ଅଟ ଶ୍ରେଷ୍ଠ
ଭାବଭକ୍ତିର ମୁକୁଳିତ ଅନିନ୍ଦ୍ୟ କମଳ
ରୂପ ଓ ଗନ୍ଧରେ ଜଗତ ମୋହୁଥାଅ।
ନିରାଶା  ଦୁଃଖର ଅନ୍ଧାରରେ ତୁମେ
ଜୀଵନ ଆଶା  ଚେତନାର ଆଲୋକ ।
ଭ୍ରମିତ  ବାଟଭୁଲା ମଣିଷଙ୍କୁ ଆକର୍ଷିତ
କରି ଦେଖାଅ ପ୍ରେମ ଧର୍ମ  ମୁକ୍ତିର ବାଟ।
ତୁମେ ଆଦି ଈଶ୍ୱର ବାଚକ ପ୍ରଣବ ରୂପ
ସ୍ୱର୍ଗୀୟ ଆଭାରେ ନିୟତ ଝଟକୁ ଥାଅ।
 
ତୁମ ଉଭୟ ପାର୍ଶ୍ୱରେ ବିନୟ ମୁଦ୍ରାରେ
ବିରାଜମାନ ଦୁଇ ମୁକୁଟଧାରୀ ସିଂହ
ଜଗି ରହିଥାନ୍ତି ବୀରବର ଦ୍ୱାରପାଳ।
ତୁମେ ଗୁମଟି ସ୍ୱରୂପରେ ବର୍ଗକ୍ଷେତ୍ର
କୁଞ୍ଚ କୁଞ୍ଚ ଆକୃତିର ଶିରସ୍ତ୍ରାଣ ପିନ୍ଧି
ଅପୂର୍ବ ଦ୍ୟୁତିରେ ମନ ମୋହୁଥାଅ।
ଶୀର୍ଷ ଦେଶେ ଶୋଭିତ ବିଜୟଲକ୍ଷ୍ମୀ
ଅଭୟ ମୁଦ୍ରାରେ ଢାଳୁଥାନ୍ତି ଶୁଭାଶିଷ।
କବାଟ ଡେଇଁଗଲେ ଦକ୍ଷିଣରେ ବିଜେ
ତ୍ରାଣକର୍ତ୍ତା ପ୍ରଭୁ ସ୍ୱୟଂ ପତିତପାବନ।
ବାହାରେ ଥାଇ ଶ୍ରଦ୍ଧାଳୁ କରନ୍ତି ଦର୍ଶନ। 
ବାମ ପାର୍ଶ୍ୱେ ଉଭା ସ୍ତମ୍ଭାକାର ହନୁମାନ
ସତତ ଜାଗ୍ରତ  ଦିଅନ୍ତି ସୁରକ୍ଷା ଅଭୟ।
ପାର୍ଶ୍ୱ ଦେବତା ମେଳେ ସର୍ବାଗ୍ରେ ପୂଜିତ
ଦିବ୍ୟଚେତନାର ତୁମେ ଆଲୋକିତ ପଥ।
ତୁମ ପୃଷ୍ଠ ଦେଶେ ଦିଶିଯାଏ କୁର୍ମବେଢା
ପଞ୍ଚରଥ ଶୈଳୀର ଉଭା ଭବ୍ୟ ବିମାନ।
ଭକ୍ତଜନଙ୍କୁ ହାତଠାରି ଡାକୁଥାଅ ସଦା
ଆସ ଆସ  ଦେଖିଯାଅ ଗମ୍ଭୀରା ମଧ୍ୟେ
କେମିତି ଦିଶୁଛି ଜୀବନର ରହସ୍ୟ ବିନ୍ଦୁ
ଦିବ୍ୟ କାନ୍ତିରେ ଢଳଢଳ ବ୍ରହ୍ମାଲୋକ !!
ଯେ ରୂପେ ଖୋଜିବ  ସେ ରୂପେ ମିଳିବ
ଥରେ ଦେଖିଲେ ତା' ଭାବ ସାଗରରେ
ସତ୍ତା ବୁଡିଯିବ  ଅସ୍ମିତା ହରାଇ ବସିବ
ମିଳିଯିବ ଶାନ୍ତି  ମୁକ୍ତି ଓ ନିର୍ବାଣର ପଥ ।
 
ତୁମେ ପୂର୍ବଦ୍ୱାର ଭକ୍ତ ମାନସର ଆର୍ତ୍ତି
ଲୁହଭିଜା ଆକୁଳ ହୃଦୟର ସାନ୍ତ୍ୱନା !!
ମହାଚେତନାର ଏକ ସଂଯୋଗ ସେତୁ
ତୁମେ ସ୍ଥୁଳ ପୁଣି ସୂକ୍ଷ୍ମ ଅକଳ୍ପନୀୟ ରୂପ
ସନାତନୀ ଦ୍ୟୁତିର ଚିର ପ୍ରଜ୍ୱଳିତ ଶିଖା
ଭବସାଗର କୂଳର ଶେଷ ସୀମାରେଖା।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational