ଧୂଳି
ଧୂଳି
ଧୂଳି ମାଟିରେ ଏ ଶରୀର ଗଢ଼ା ଯେ
ମିଶିବ ଧୂଳି ମାଟିରେ
ବଡ଼ ଦାଣ୍ଡ ଧୂଳି ଦେହେ ହେଲେ ବୋଳି
ବସିବ ଯେ ବୈକୁଣ୍ଠରେ
ଗାଆଁ ଦାଣ୍ଡ ଧୂଳି ବୋଳି ହୋଇ କେତେ
ପିଲାଦିନେ ଖେଳୁଥିଲି
ଘରେ ପହଁଚିଲେ ମାଆ ମୋର ଦେହୁ
କାନିରେ ଝାଡଇ ଧୂଳି.
ପିତାମାତାଙ୍କର ପାଦଧୂଳି ଅଟେ
ମୋ ପାଇଁ ଗୋଳା ଚନ୍ଦନ
ତାଙ୍କ ଆଶୀର୍ବାଦ ରହିଛି ସେଥିରେ
ସେମାନେ ମୋ ଭଗବାନ.
ଗୁରୁ ଗୁରୁଜନ ଙ୍କର ପାଦଧୂଳି
ଯିଏ ମାରଇ ମୁଣ୍ଡରେ
ମାରକଣ୍ଡ ଋଷି ଙ୍କର ପରି ସିଏ
ଦୀର୍ଘାୟୁ ହୁଏ ବିଶ୍ୱରେ.
ସାଧୁ ସନ୍ଥଙ୍କର ପାଦ ଧୂଳି ଯେଉଁ
ଗୃହମଧ୍ୟେ ପଡିଥାଏ
ସେ ଗୃହରେ ବିଷ୍ଣୁଙ୍କ ସହିତ ଲକ୍ଷ୍ମୀ
ରହନ୍ତି ଶ୍ରୀ ବୃଦ୍ଧି ହୁଏ.
ତୀର୍ଥ ସ୍ଥାନ ଧୂଳି ଅଟଇ ପବିତ୍ର
ଦେହରେ ହୁଅନ୍ତି ବୋଳି
ଧୂଳିକଣାରେ ଏ ବିଶ୍ୱ ସରଜନା
କରିଛନ୍ତି ମହାବଳୀ.
ପିଲାଦିନ ଧୂଳି ଖେଳ ବାଲିଘର
ଧୂଳି ଭାତ ତରକାରୀ
କାନିଶିରି ପତରରେ ବାଢି ଖାଉ
ସାଙ୍ଗ ସାଥି ହୋଇକରି.
ଧୂଳି ମାଟିର ଏ ଘରଟି ମୋହର
ଅଟଇ ସରଗ ପୁର
ସ୍ନେହ, ଶ୍ରଦ୍ଧା, ମମତାର ଗନ୍ତାଘର
ଲାଗଇ ଭାରି ସୁନ୍ଦର.
ଶ୍ରୀରାଧା ଙ୍କ ପାଦ ଧୂଳି ଶ୍ରୀକୃଷ୍ଣ ଙ୍କ
ଜ୍ୱର ଭଲ କରିଦେଲା
ଅଷ୍ଟ ପାଟବଂଶୀ, ଗୋପୀ କାଙ୍କ ପାଦୁ
ଧୂଳି ବାହାରି ନ ଥିଲା.
ଧୂଳି ର ମହତ୍ତ୍ୱ ଅଟେ ଗରୀୟାନ
ତା ଠାରୁ ସବୁ ଉତ୍ପତ୍ତି
ଧୂଳି ନ ଥିଲେ ଯେ ନ ଥାନ୍ତା ପୃଥିବୀ
ଧୂଳି ମାତା ବସୁମତୀ.
କାଳିଆ ରାଜାର ପାଦଧୂଳି ଟିକେ
ଭାଗ୍ୟରେ ଥିଲେ ମିଳିବ
ମନୁଷ୍ୟ ଜନମ ସାର୍ଥକ ହୋଇବ
ଧୂଳିରେ ଜୀବନ ଯିବ.
