ଧୂଳି
ଧୂଳି
ଧୂଳି ଧୂଳି ଧୂଳି
ପଥର ଭାଙ୍ଗିଲେ ଧୂଳି
ମାଟି ତାଡିଲେ ଧୂଳି
ଚାରିଆଡ଼େ ଧୂଳି
ବାୟୁମଣ୍ଡଳରେ ଧୂଳି
ଧୂଳି ହିଁ ଧୂଳି
ଦୁନିଆଁ ଯାକ ଧୂଳି
ଧୂଳିର ପାହାଡ଼
ଭୂଇଁରୁ ମୁଣ୍ଡ ଟେକିଛି
ସାରା ଆକାଶ ଧୂଳି
ପବନରେ ଖେଳେ ଦୋଳି।
ଧୂଳି ଧୂଳି ଧୂଳି
ଘର ଓଳାଇଲେ ଧୂଳି
ଆସବାବପତ୍ର ପୋଛିଲେ ଧୂଳି
ଗାଡ଼ି ଗଡିଲେ ଧୂଳି
ଝାଡିଲେ ଧୂଳି
ଧୂଳିର ଝଡ଼ ହୁଏନା ସମ୍ଭାଳି
ଦେହରେ ପୋଷାକରେ ଭିଡ଼ି
କରେ ସବୁ ମଳି
ଧୂଳି ଧୂଳି ମିଳି ହୁଏ ମଳି
ଏ ମଳି କରେ ମଇଳା
ସବୁ ଓଳି ଗଳି ଗହଳି
ଧୂଳି ଧୂଳି ଧୂଳି
ବତୁରିଲେ ଶିଉଳି
ଜମାଟ ବାନ୍ଧିଲେ ପଥର
ହୁଏନା ତାକୁ ଟାଳି
ଜମିଲେ ହୁଏ ମାଟି ଗୋଡ଼ି
ଚଷିଲେ ତାଡ଼ି ଖୋଳି
ଫସଲ ହୁଏ ଭଳି କି ଭଳି
ପାଚି ପଚିଲେ ଧୂଳି
ପୋଡ଼ି ପାଉଁଶ ହେଲେ ଧୂଳି
ଧୂଳିରେ ଖେଳି ଖେଳି
ହୁଏ ଜଣେ ବାହୁବଳୀ
କରେ ଯେତେ ଅଳି ଅର୍ଦ୍ଦଳି
ପରିଶେଷେ ପଡିଲେ ଟଳି
ସବୁ ପାଲଟି ଯାଏ ଧୂଳି।
ଧୂଳି ଧୂଳି ଧୂଳି
ଅଯଥା ବସିଲେ ଭାଳି
ମନ ହୁଏ ମଳି
କୋହରେ ସବୁ କୁହୁଳି
ଯାଏ ଯେବେ ଜଳି
ପାଲଟି ଯାଏ ଧୂଆଁ ଧୂଳି
ଆଶାର ଫୁଲ ଝାଉଁଳି
ଝଡ଼ି ପଡ଼େ ମଉଳି
ଜୀବନଟା ଧୂଳିର ଗହଳି
ମନରୁ ବାହାର କଲେ ଧୂଳି
ସୁରୁଖୁରୁରେ ହୁଏ ଚଳି
ଓଠରୁ ହସ ପଡ଼େ ଉଛୁଳି।
ଧୂଳି ଧୂଳି ଧୂଳି
