ଧନୀ ବନାମ ଗରିବ
ଧନୀ ବନାମ ଗରିବ
ଗରିବ ଅଣ୍ଡାଳେ ପେଟ ପାଇଁ ଦାନା
ମାଇଲି ମାଇଲି ଧାଇଁ
ଧନୀକ ଧାଉଁଛି ହଜମ ନିମନ୍ତେ
ଅତ୍ୟଧିକ ଖାଇ ଦେଇ ।
ଗରିବ ପିନ୍ଧିଲେ ଚିରା ଫଟା ବସ୍ତ୍ର
କାରଣ ତା ଦାରିଦ୍ର୍ୟତା
ଧନୀକ ପିନ୍ଧିଲେ ସେହି ଚିରା ଫଟା
ତାପାଇଁ ଭୋଗ ସଭ୍ୟତା।
ଗରିବ ପାଠୁଆ ହୁଏ ହାସ୍ୟାସ୍ପଦ
ନାହିଁ ବୋଲି ପାଖେ ଧନ
ଧନୀ ମୂର୍ଖ ବ୍ୟକ୍ତି ସମ୍ମାନର ପାତ୍ର
ନଥାଉ ପଛେ ତା ଜ୍ଞାନ ।
ଧନୀକ କିଣୁଛି ପ୍ରମାଣ ପତର
ପାଠରେ ନାହିଁ ତା ମନ
ଗରିବ ପିଲାଟି ପଢିବା ନିମନ୍ତେ
ପାଖେରେ ନାହିଁ ତା ଧନ ।
ଧନୀ ମୂର୍ଖ ବ୍ୟକ୍ତି ଅଫିସର ହୋଇ
ହୁକୁମ କରୁଛି ଜାରି
ଗରିବ ପାଠୁଆ ଫାଇଲି ବୋହୁଛି
ହୋଇ ଛୋଟ କର୍ମଚାରୀ ।
ଧନୀ ନାରୀ କଲେ ଗଣିକା ବେପାର
ସତୀ ସାବିତ୍ରୀରେ ଗଣା
ଗରିବ ଝିଅଟି ଧର୍ଷିତା ହୋଇଲେ
ଦୋଚାରୁଣୀ ଭାବେ ଗଣା ।
ଗରିବ ଝିଅକୁ ଥଟ୍ଟା ପରିହାସ
ସତେକି ସବୁରି ଶାଳୀ
ମହାଜନ ଝିଅ ସମାଜେ ମହାନ
କରୁ ପଛେ ଯେତେ କଳି ।
ଧନୀଘର ପୁଅ ଦୁର୍ନୀତି କରିଲେ
ଦଣ୍ଡିତ କରିବା କଷ୍ଟ
ଗରିବ ପୁଅର ସାମାନ୍ୟ ଦୋଷରେ
ଜୀବନଟା ହୁଏ ନଷ୍ଟ ।
ଧନୀ ଖସିଯାଏ ଆଇନି ହାତରୁ
ଘୋର ଅପରାଧ କରି
ଗରିବ ଫସୁଛି ବିନା ଅପରାଧେ
ପୋଲିସି ନେଉଛି ଧରି ।
ଧନୀ ଦରିଦ୍ରର ତାରତମ୍ୟ ମଧ୍ୟେ
ଗରିବ ଖାଉଛି ଗାଳି
ସବୁ ଠିକ ଥାଇ ଦାରିଦ୍ର୍ୟତା ପାଇଁ
ବିଚରା ପଡୁଛି ବଳି ।