ଅଭିଜ୍ଞତା
ଅଭିଜ୍ଞତା
ଯୁବା ବୟସରେ ବ୍ୟସ୍ତ ହେଉଥିଲି
ମୁହଁ ବ୍ରଣ ମୋର ଦେଖି
ବୃଦ୍ଧ ହେବା ପରେ ଚର୍ମର କୁଞ୍ଚନ
କରୁଅଛି ଏବେ ଦୁଃଖି ।
ଯଉବନ କାଳେ କେତେ ଯେ ଅପେକ୍ଷା
ଧରିବାକୁ ତାର ହାତ
ବୃଦ୍ଧ ଅବସ୍ଥାରେ ପାଉନି କାହାକୁ
କିଏ ଦେବ ମୋର ସାଥ ।
ଯୁବା ଅବସ୍ଥାରେ ଏକା ବୁଲିବାରେ
ଥିଲା ଭାରି ଖୁସି ମଜା
ବୃଦ୍ଧ ହେଲାପରେ ବ୍ୟସ୍ତ ଲାଗେ ଭାରି
ଏକା ଭୋଗୁଛି ମୁଁ ସଜା ।
ଯୁବା ଅବସ୍ଥାରେ ନୀତି ଉପଦେଶ
ହେୟଜ୍ଞାନ କରୁଥିଲି
ବୃଦ୍ଧ ବୟସରେ ସାଥି ମିଳୁନାହିଁ
କଥା ଟିକେ ହେବି ବୋଲି ।
ଯଉବନ ବେଳେ ରୂପ ସୌନ୍ଦର୍ଯ୍ୟକୁ
ପ୍ରଶଂସା ମୁଁ କରୁଥିଲି
ବାର୍ଦ୍ଧକ୍ୟ କାଳରେ ପ୍ରତ୍ୟେକ ଚିଜରେ
ସୌନ୍ଦର୍ଯ୍ୟ ଦେଖୁଛି ଖାଲି ।
ଯୁବା ବୟସରେ ପ୍ରତି ମୁହୂର୍ତ୍ତରେ
ଉତ୍ସବ ମୁଁ ପାଳୁଥିଲି
ବୟସର ଏହି ଅପରାହ୍ନେ ଆଜି
ସ୍ମୃତିକୁ ଯାଉଛି ଭୁଲି ।
ଯୁବା ବୟସରେ ନିଦ୍ରା ତେଜିବାକୁ
ଲାଗୁଥିଲା ଭାରି କଷ୍ଟ
ବୃଦ୍ଧ ବୟସ ମୋ ବଇରୀ ସାଜିଲା
ନିଦ ହୋଇଗଲା ନଷ୍ଟ ।
ଯୁବା ବୟସରେ ହୃଦୟ ସ୍ପନ୍ଦନେ
ବଞ୍ଚିବାର ଥିଲା ନିଶା
ବୃଦ୍ଧ ବୟସରେ ମୃତ୍ୟୁକୁ ଅପେକ୍ଷା
ଜୀବନରେ ନାହିଁ ଆଶା ।
ଜୀବନର ଏହି ଶେଷ ଅବସ୍ଥାରେ
ସମସ୍ତଙ୍କୁ ଲାଗେ ବ୍ୟସ୍ତ
ଯୁବା ବୟସରେ କେହି ଭାବନ୍ତିନି
ଜୀବନର ଅଛି ଅସ୍ତ ।
ଜୀବନକୁ ଆମ ବୁଝିବାକୁ ହେଲେ
ଅଭିଜ୍ଞତା ଆବଶ୍ୟକ
ବୁଝିବା ପୂର୍ବରୁ। ବୃଦ୍ଧବସ୍ଥା ଆସେ
କାଳ କରିଥାଏ ଗ୍ରାସ ।