ଧାରା ଶିରାବଣେ ଫାଟିଲା ଭୂଇଁ
ଧାରା ଶିରାବଣେ ଫାଟିଲା ଭୂଇଁ
କେଡେ ନିରିମଳ ଦିଶେ ଗଗନ,
ଦିଶେ ନାହିଁ ତିଳେ ମେଘ ବଦନ।
ଚଷା ପ୍ରାଣ କାନ୍ଦେ ବରଷା ପାଇଁ,
ଧାରା ଶିରାବଣେ ଫାଟିଲା ଭୂଇଁ।
କେମନ୍ତ ହୋଇବ ଚଷାର ଚାଷ,
ନୋହିଲେ ଜାଣିବ ସରବ ନାଶ।
ଚଷା ଭାଇ ଦୁଃଖ ବଢଇ ଯହିଁ,
ଆହାର ପାଇବ ଜଗତ କାହିଁ?
ତରୁଲତା ଯହିଁ ପଡେ ଝାଉଁଳି,
ଚିନ୍ତିତ ହୁଅଇ ଅକ୍ଷମ ମାଳି।
ଶିରାବଣେ ପଡେ ଏମନ୍ତ ଖରା,
ରୌଦ୍ରତାପେ ଶୁଷ୍କ ହେଲାଣି ଧରା।
ଦିବାକର କର ହୁଏନି ସହି,
ଉତ୍ତାପେ ସଜୀବ ପାରେନି ରହି।
ଗୁହାରି କରଇ ହେ, ପ୍ରାଣବନ୍ତ
ବିନା ମେଘେ କାହୁଁ ରହେ ଜଗତ ?
ମହୀ ଦୁଃଖ ତିଳେ ବୁଝ ହେ, ସାଇଁ
ତୁମ ବିନା ସାହା ଆଉ କେ' ନାହିଁ।
କରୁଣା ଚିତ୍ତେ ତୁ ଦେଏ ବରଷି,
ଚଷା ଚିତ୍ତ ପ୍ରାଣ ଯାଉ ହରଷି।
ଶୁଭେ ନାହିଁ ଆଉ ମଣ୍ଡୁକ ନାଦ,
ନିଶାମୁଖେ ନାହିଁ କୀଟ ଶବଦ।
କଳା ମେଘ ଯହିଁ ଗଗନେ ନାହିଁ,
ଗିରିଶିଖେ ପିକ ନାଚିବ କାହିଁ?
ମେଘ କହେ ' ଆହେ, ମଣିଷ ଭାଇ',
ଭାଗ୍ୟେ ନିନ୍ଦା କିମ୍ପା କରୁ ଯେ ତୁହି?
ତୋ କରମ ଫଳ ତୋ ପାଇଁ କାଳ,
ଏବେଠୁଁ ଚେତେଇ ଦିଏ ସକଳ।
ବିଜ୍ଞାନୀ ମାନବ ଅଜ୍ଞାନୀ ହୋଇ,
ଦିନୁଁ ଦିନ ବୃକ୍ଷ ନାଶିଲୁ ତୁହି।
ତିଳେ ସ୍ୱାର୍ଥ ପାଇଁ ରଚିଲୁ ଯାହା,
ଦୁର୍ଦ୍ଦିନେ ଆଜ କେ' ହୋଇବ ସାହା ?
