STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଦଗ୍ଧ ଧରା

ଦଗ୍ଧ ଧରା

1 min
269


ଝାଟି ମାଟି ଘର ଚାଳ ଛପର

ଗୋବର ରେ ଲିପା ଅଗଣା ଘର

ଚାରିପାଖୁ ଘର ମଝି ଅଗଣା

ଖୁଲା ଆକାଶ ରେ ଜହ୍ନ ଠିକଣା

ସେ ଘର ଦିଶୁନି ଆଉ

ଇଟା ସିମେଣ୍ଟକୁ ଗିରୀଷମ ଖରା

ନିସ୍ତାର ମିଳିବ କାହୁଁ।।


ଗାଁଆଁ ମୁଣ୍ଡ ପାଖ ପୋଖରୀ ତୁଠ

ପନ୍ଦର ପାହୁଣ୍ଡ ନଈ କୁ ବାଟ

ପୋଖରୀ କୁ ବାଣ୍ଟି ନେଲେ ପୋଖତେ

ନଈ କୁ ଲଙ୍ଗଳା କରିଲେ ଥୋକେ

ନାହିଁ ଆଉ ନଈ ପଠା

ନାହିଁ କ୍ଷୀରକୋଳି କମଳା ପିଜୁଳି

ସେ କାଳର ଆମ୍ବତୋଟା।।


ଗାଁଆଁ ଦାଣ୍ଡ ଧୂଳି ସପନ ହେଲା

ଗ୍ରାମ୍ୟ ସଡ଼କ ଯୋଜନା ଆସିଲା

ଭିତରେ ଗରମ ବାହାରେ ଖରା

ତାପ ବିକିରଣେ ବଢୁଛି ପାରା

ବିଜୁଳିର ଯାଆ-ଆସ

ଅତି ହନ୍ତସନ୍ତ କରେ ଏ ଉତ୍ତାପ

ଅଂଶୁଘାତ ଆଣେ ତ୍ରାସ।।


ଗଛ କାଟି ଦେଲେ ଜଙ୍ଗଲ ସଫା

ଚାଷ ଜମି ଘରବାଡ଼ି ରେ ଲେଖା

ଯେତେ ଗାଆଁ ମୁହାଁ ହୁଏ ସହର

ଗ୍ରାମ୍ୟ ଶୋଭା ହେଉଛି ନାରଖାର

ଜଳବାୟୁ ବିସଙ୍ଗତି

ଜଳୁଛି ଆକାଶ ଧରଣୀ ସରଣୀ

ଜାଳୁଛି ସମଗ୍ର କ୍ଷିତି।।


ମୁକତିର ପଥ ଦିଶେନା କିଛି

ମାତ୍ର ଉପଶମ ଉପାୟ ଅଛି

ବୃକ୍ଷ ରୋପଣ ଜଳ ସଂରକ୍ଷଣ

ସୁରକ୍ଷା କରିଲେ ପର୍ୟାବରଣ

ଦଗ୍ଧ ଧରା ର ପ୍ରକୋପ

ଜୀବ ଜଗତ ଉପରେ ତା ପ୍ରତାପ

କିଞ୍ଚିତ ହୋଇବ ଶାନ୍ତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract