ଦେଶ ବନ୍ଦନା : ମାଟି ମାଆ ଡାକେ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା : ମାଟି ମାଆ ଡାକେ -ଡକ୍ଟର କୃତ୍ତିବାସ ନାୟକ


ଦେଶ ବନ୍ଦନା : ମାଟି ମାଆ ଡାକେ
-ଡକ୍ଟର କୃତ୍ତିବାସ ନାୟକ
ମାଟି ମାଆ ଡାକେ ହଟାଇ ଦିଅରେ-ଅବିଶ୍ୱାସ ଅନ୍ଧକାର,
ମେଦିନୀ କମ୍ପାଇ ଜାଗିଛି ଭାରତେ ସଂହତିର ମହାଙ୍କୁର |(ଘୋଷା)
ସେ ଶିଶୁ ବୃକ୍ଷରେ ପ୍ରୀତିଜଳ ଦେଲେ ଫିଟିବ ଶାନ୍ତିର ଧାରା,
ସତ୍ୟ ସାର ପାଇ ହେବ ମହାଦ୍ରୁମ ହସି ଉଠିବ ଏ' ଧରା |
ତା' ଗହଳ ଛାଇ ଲଭିଲେ ସକଳେ ନଥିବ ଆପଣା ପର |
ମାଟି ମାଆ ଡାକେ ହଟାଇ ଦିଅରେ-ଅବିଶ୍ୱାସ ଅନ୍ଧକାର,
ମେଦିନୀ କମ୍ପାଇ ଜାଗିଛି ଭାରତେ ସଂହତିର ମହାଙ୍କୁର | | (1)
ମୈତ୍ରୀ ପତାକା ଉଡ଼ାଇ ଆକାଶେ ଗାଇବା ସାମ୍ୟର ଗୀତି,
ପରାଣେ ପରାଣେ ପୁଲକ ଜାଗିବ ବଢ଼ାଇ ମାନବ ପ୍ରୀତି |
ସେହି ମହାଦ୍ରୁମ ଫଳରସ ଖାଇ ଦେବତା ସାଜିବେ ନର |
ମାଟି ମାଆ ଡାକେ ହଟାଇ ଦିଅରେ-ଅବିଶ୍ୱାସ ଅନ୍ଧକାର,
ମେଦିନୀ କମ୍ପାଇ ଜାଗିଛି ଆଜି ତ ସଂହତିର ମହାଙ୍କୁର | (2)