ଦେଇ ପାରିବି ତ
ଦେଇ ପାରିବି ତ
ମୁଁ ବି ଅପେକ୍ଷା କରିଛି କାହିଁକି?
ଖୋଜି ଖୋଜି ଥକି ପଡିଲା ପରେ,
ଦେଇଛି ଅନେକ, ପାଇଛି ବି ବହୁତ କିଛି,
ଶୈଶବର ଧୂଳିବାଲିରେ,ସାଙ୍ଗ ସାଥି ମେଳରେ,
ପରକୁ ଆପଣା କରିବାର କୌଶଳ ନ ଜାଣିବି,
ବିଛାଡି ଦେଇଥିଲି,ସ୍ନେହ ଶ୍ରଦ୍ଧା ମମତାର ରଜ୍ଜୁ ।
କେବଳ ସେମାନଙ୍କ ଓଠରେ ଖିଏ ହସ ଦେଖିବାକୁ ।
ହେଲେ କାହିଁକି କେଜାଣି ଛିଡିଗଲା ।
ଆଦ୍ୟ ଯୌବନର ପାଦଦେଶରେ, ଆସିଥିବା ଅତିଥିଙ୍କୁ
ଅତିଥି ଦେବତା ସମ୍ମାନ ନୀତିରେ
ତୃଟି ନ କରି, ଆପଣାର ସ୍ନେହ ପ୍ରେମର ଅମୃତ ଭଣ୍ଡାରକୁ,
ମନଭରି ଆତିଥ୍ୟ ଦେଇଥିଲି,
ଦେଖିବାକୁ ତାଙ୍କ ଓଠରେ ଖିଏ ହସ ଦେଖିବାକୁ ।
ହୋଇଗଲି ପ୍ରତାରଣା ର ଶିକାର ।
ଯଥାଶକ୍ତି ମୁତାବକ,ମାପିଚୁପି ବି ନୁହେଁ
ସୁବିଧା ଅସୁବିଧାରେ, ଭଲରେ ମନ୍ଦରେ
ନିଜର ରକ୍ତର ମୋହରେ, ମୋହାଛନ୍ନ ହୋଇ,
ଆଗପଛ, ବେଳ ଅବେଳ ଚିନ୍ତା ନ କରି
ସହଯୋଗର ହାତ ବଢାଇ ଦେଇଥିଲି ।
ଚାହିଁ ଥିଲି ଦେଖିବାକୁ
ସେମାନଙ୍କ ଓଠରେ ଖିଏ ହସ ।
ଛଳନାର ଛେପ ଗୁଡା ଥୁ ଥୁ ମେଞ୍ଚା
ବୋଳି ହୋଇଗଲା ସାରା ଶରୀର ।
ଆଖ ପାଖ ଚାରିପାଖକୁ ଗୋଟିଏ ମାଳରେ
ମାଳକରି ଗୁନ୍ଥିବା ଲକ୍ଷ୍ୟରେ,
କାହିଁ କେତେ ଦୂରୁ,ନୂତନ ସମ୍ପର୍କ ରଜ୍ଜୁରେ
ବାନ୍ଧିବା ପାଇଁ ବିଭିନ୍ନ ସମ୍ପର୍କର ଦ୍ଵାହିରେ ।
କେବଳ ସମସ୍ତଙ୍କ ଓଠରେ ଦେଖିବାକୁ
ଜିଜ୍ଞାସା ଥିଲା ଖିଏ ହସ
ଭରିଗଲା ଆଞ୍ଜୁଳା ମୋର ପୁଳା ପୁଳା
ନିନ୍ଦା,ଅପମାନ, ଲାଞ୍ଛନାରେ ।
ବୋହି ପାରିବି ତ ଏସବୁ ।
ନିଜକୁ ନିଜେ ନୀରବର ପ୍ରଶ୍ନ କରି ଚାଲିଛି ମୁଁ
ଏସବୁ ବୋହି ଦେଇ ପାରବି ତ ସମସ୍ତଙ୍କ ଓଠରେ
ଖିଏ ହସ ।

