STORYMIRROR

Panchanan Jena

Romance

4  

Panchanan Jena

Romance

କାଣିଚାଏ ଦେ

କାଣିଚାଏ ଦେ

1 min
24


ତୋ ଲମ୍ବା ପଣତ କାନି ତଳେ

ଲୁଚିଥିବା ମହଣେ ମମତାରୁ

କାଣିଚାଏ ଦେ

ମୁଁହ ଟା ପୋଛି ଦିଅନ୍ତି ।୧


ତୋ ବାର ହାତିଆ ପାଟଶାଢୀ ତଳେ

ଛପିଥିବା ଝଙ୍କାଏ ସରଧାରୁ

କଠାଏ ଦେ

ମୁରୁକି ସୁରୁକି ହସି ଦିଅନ୍ତି ।୨


ତୋ ଦାଉ ଦାଉ ନାଲି ସିନ୍ଦୁର ଟିକା ତଳେ

ପୋତିଥିବା ଗହୁଣିଏ ସ୍ନେହରୁ

ଚେନାଏ ଦେ

ମନରେ ମଗଜରେ ଖୁସି ଭରନ୍ତି ।୩


ତୋ ତକ ତକ ଗୋରା ଦେହ ତଳେ

ଢାଙ୍କିଥିବା ଚାଙ୍ଗୁଡିଏ ପ୍ରେମରୁ

ମୁଠାଏ ଦେ

ପାଗଳ ପଳାତକ ପ୍ରେମୀ ପାଲଟନ୍ତି ।୪


ତୋ ଦେହ ଦେହଳୀର ଭୂଗୋଳ ତଳେ

ଜଳୁଥିବା ହୁତୁ ହୁତୁ ନିଆଁରୁ

ଟିପାଏ ଦେ

ଡେଇଁପଡି ପତଙ୍ଗ ସମ ନିଜକୁ ଜାଳନ୍ତି ।୫


ତୋ ପୋଟଳ ଚିରା ଆଖି ତଳେ

ବହୁଥିବା ଛଳ ଛଳ ଝରଣାରୁ

ଆଞ୍ଜୁଳାଏ ଦେ

ଆଦିମ ତୃଷ୍ଣା ସାରନ୍ତି ତାରନ୍ତି ।୬


ତୋ ହଳେ ପୁତୁକି ଗାଲ ତଳେ

ନାଚୁଥିବା ଗହଳ ଧାନ କ୍ଷେତରୁ

କେଇ କେଣ୍ଡା ଦେ

ଛାତି ତଳର କ୍ଷୁଧା ମାରନ୍ତି ।୭


ତୋ ଦୋଳାୟମାନ ନିତମ୍ବ ତଳେ

ଚହଳୁଥିବା ଯୌବନ ମଦିରାରୁ

ମୁନ୍ଦେ ଦେ

ମହୁଲି ନିଶାରେ ଝୁମି ଉଠନ୍ତି।୮


ତୋ ଚମ୍ପାକଢି ପାଦ ଆଙ୍ଗୁଠି ତଳେ

ମଲାଟ ମାରିଥିବା ମୁରୁଜରୁ

ଚିକିଏ ଦେ

ଠାକୁର ପାଦୁକ ପରି ପିଅନ୍ତି।୯


ତୋ ରୁଣୁଝୁଣୁ ପାଦ ପାଉଁଜର ତଳେ

ଦୋହଲୁଥିବା ସାରେଗାମାରୁ

ଦୁଇ ଛନ୍ଦ ଦେ

ଶେଷ ଶ୍ରାବଣର ଶ୍ଳେଷ ମେଣ୍ଟାନ୍ତି ।୧୦


ତୋ ତାରକସି ପାଦ ଝୁଣ୍ଟିଆ ତଳେ

ଶୋଇଥିବା ଅପୂର୍ବ ଶିହରଣରୁ

ପଳାଏ ଦେ

ମଗନେ ଲଗନେ ସାଇତି ରଖନ୍ତି ।୧୧


ତୋ ସରମ ଭରମ ଭୂଲାପଣ ତଳେ

ଖେଳୁଥିବା କାଚ କେନ୍ଦୁ ସମର୍ପଣରୁ

ରାତିଏ ଦେ

ପ୍ରେମିକ ମୀନାରରେ ମୁଣ୍ଡି ମାରନ୍ତି ।୧୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance