ବାଣୀ ପ୍ରସ୍ରବଣ
ବାଣୀ ପ୍ରସ୍ରବଣ
କଳାମେଘୀ ଶ୍ରାବଣ
ବରଷିଗଲା ଘନ ଘନ
ବାଣୀବିହାର ଛାତିରେ
ଯେମିତି କିଏ ଦାଗିଦେଲା
ନିଗିଡ଼ା ଭାବନାର ପ୍ଳାବନ
ଗୋପବନ୍ଧୁ ଛାତ୍ରାବାସ ଦେଇ
ଗୋବିନ୍ଦ ଭାଇ ମାର୍କେଟ ଡେଇଁ
ତଳକୁ ଗଡି ଚାଲିଲା
ପାଣିର ଉଜାଣି ସୁଅ ଛୁଟିଲା
ଯେମିତି ଉଦ୍ଗମ ହେଲା
ବାଣୀ ପ୍ରସ୍ରବଣ
ଚା' ପିଉ ପିଉ ଦେଖୁଥିଲି
ବର୍ଷାସ୍ନାତ ବଧୁଲି ଆକାଶ ତନୁରେ
ମେଘଢଙ୍କା ସାବନାରଙ୍ଗୀ ଶାଢୀ
ବେଳେ ବେଳେ ବିଜୁଳିଲତାର
ନହୁଲି ରଙ୍ଗ ବେରଙ୍ଗ ଭିଡ଼ା ଭିଡ଼ି
ଛାତି ଥରା ହମ୍ବାଗତି ଘଡ଼ ଘଡ଼ି
ବରଷାର ଝପାକୁ ଝପା ଛଇ ଛଟକ
ଲମ୍ବା ଦେବଦାରୁ ନିମ୍ବଗଛ ମାନେ
ମୁଣ୍ଡ ନୁଇଁ ସହୁଥାନ୍ତି ନ କରି ଅଟକ
ପରିଜା ପାଠାଗାର ଆଗେ
ମୁଣ୍ଡ ନୁଆଁଇ ତନୁ ପାତଳୀ ଝିଅ ପରି
କାଳେ କିଏ ଫିଙ୍ଗି ଦେବ ଶ୍ରୁତିକଟୁ
ପଦେ ଦି ପଦ ଶବ୍ଦ ଛଟକ
ଝଡ଼ି ବରଷା
ଆଉ ବାଣୀବିହାର ପ୍ରେମ
ପୂରା ପରିପୂରକ ଦ୍ରବଣ
ଛତା ତଳେ ମେଳ
ଅଧା ଭିଜା ତନ ମନ ତମାଳ
ଗରମ ନିଶ୍ୱାସର
ଆଦାନ ପ୍ରଦାନ ଭିତରେ
ଫୁଟିଉଠେ କଢି ଶତଦଳ
ଆଖି ପଲକ ଝଲକରେ
ମିଳିଯାଏ କାଣିଚାଏ ସ୍ନେହ ଲବଣ
ବ୍ୟାଙ୍କ ପାଖ କୃଷ୍ଣଚୂଡ଼ା ଗଛମାନେ
ଭିଜୁଥାନ୍ତି ଆକ୍ତାମାକ୍ତା
ଦୋହଲାଇ କଟି ବାହୁ ସର୍ବାଙ୍ଗ
ଯେମିତି ବୋଉକୁ ଲୁଚେଇ
ଛାତ ଉପରେ ଭିଜୁଥାଏ ନାଚୁଥାଏ
ନୂଆ କରି କଲେଜ ମାଡିଥିବା
କୁରଙ୍ଗୀ ନୟନାର ଛମ୍ ଛମ୍ ସୁଆଙ୍ଗ
ଗାଉଥାଏ ଶେଷ ଶ୍ରାବଣର
ସେହି ସୁପରହିଟ ଗୀତ ପରି
-- ନେଇ ଯା'ରେ ମେଘ ମୋତେ
ମୋ ପ୍ରୀୟ ପାସେ ---
ଖୋଲି ଯାଉଥାଏ କିଛି ଅଙ୍ଗ ବାସ
ନିଘା ନ ଥାଏ ସେ ସବୁରେ
ମନ ପବନ ବୋଇତ ଚଢି ଉଡୁ ଥାଏ
ଋତୁ ବଦଳୁଥାଏ
ପ୍ରେମ ତରଙ୍ଗରେ ଖାଲି ମହୁଲି ମିଶ୍ରଣ
ବାଣୀ ବିହାର ଆଉ ଶ୍ରାବଣ ମାସ
କେତେ କୁ ସଜାଏ ଶ୍ରବଣ-ଶ୍ରାବଣୀ
ଆଉ ଦଳେ ପାଳଟି ଯାଆନ୍ତି
ବିଫଳ-ବାୟାଣୀ
ତପ୍ତ ବୈତରଣୀ
ଦେଖି ଏମାନଙ୍କର ନଗ୍ନ କାହାଣୀ
ଚେଷ୍ଟା ଜାରି ରଖନ୍ତି
ଫିଙ୍ଗନ୍ତି ମୌସମୀର ପ୍ରେମଫାସ
ଶିକାର ମିଳିଗଲେ
ଗ୍ଲାସ କେଣ୍ଟିନରେ ଜମେ ଖଟି ଆସର
ବିଫଳ ହେଲେ
ସୋମରସ ପିଇ ବ୍ୟର୍ଥ ପ୍ରେମିକ ବେକାର
ଅବଶୋଷ କେବଳ ଏତିକି
ହଷ୍ଟେଲ ଗବାକ୍ଷ ଦେଇ
ମେଘମାଳାକୁ ଦେଖି ଦେଖି
ବିରହ ଜ୍ୱାଳାରେ ହା ହତାସ
ନ ହେବା ବଦଳରେ
ପୁଣି ବୁଣି ଚାଲେ
ଅନ୍ୟ ଏକ ଉପନ୍ୟାସର ଶିଳାନ୍ୟାସ
ପ୍ରେମ ଛୁଙ୍କରେ ବାସୁଥିବା ଫୁଟଣ ।

