ଦେହ
ଦେହ
ଯାହା ଥିଲା ମୋ ପାଇଁ କି ଏକ ବିଶ୍ଵ
ଏବେ ଖାଲି ତୁଚ୍ଛ ଚିଜ
ନେଇ ଯାଏ ମୋର ଆତ୍ମାକୁ ତା' ସାଥେ
ତାହା ଦେହଟି ମୋ ନିଜ।
ଉଚ୍ଚତର ଲକ୍ଷ୍ୟ ସାଧନ ପାଇଁ ତ
ଆତ୍ମା ଧାଏଁ ଅବିରତ
କିନ୍ତୁ ସାଇତିଛି ଏହାକୁ ଶରୀର
ଯତନେ କରି ଆବୃତ।
କ୍ଷୁଦ୍ର ପ୍ରତିକୃତି ଅଟଇ ତାହାର
ନାହିଁ ଯା ପାଇଁ ଆକଟ
ଛୁଟି ଚାଲେ ଶାଶ୍ଵତଙ୍କ ଅଭିମୁଖେ
ହୋଇ ଚିର ଅପ୍ରକଟ ।
ସମ୍ମୁଖରେ ତା'ର ବିସ୍ତାରିତ ରୂପେ
ଅନନ୍ତ ଦେଶ ଓ କାଳ
ମୂକ ସାକ୍ଷୀ ଯିଏ କେତେ ଘଟଣାର
ରହିଛନ୍ତି ଅବିଚଳ ।
ହୃଦୟେ ତାହାର ରହିଅଛି ପୂରି
ରୁଦ୍ର, ଆନନ୍ଦ ,ମଧୁର
ମନେ ଅଛି ଲାଖି ସ୍ମୃତି, ଅନୁଭୂତି
କେତେ ତିକ୍ତ,ସୁମଧୁର ।
ସମଗ୍ର ଜଗତ ସହ ତାଳ ଦେଇ
ବଢାଏ ତା'ର ଚରଣ
ବିନ୍ଦୁ ଟିଏ ଭଳି କ୍ଷୁଦ୍ର ,ଏ ସଂସାରେ
କରିବ ଲକ୍ଷ୍ୟ ପୂରଣ।