STORYMIRROR

Rasmita Dixit

Tragedy

4  

Rasmita Dixit

Tragedy

ଦେହ ଜଣାଣ

ଦେହ ଜଣାଣ

2 mins
343


ଦିନେ ଦେହକୁ ନେଇ ଖୁବ ଜୋର ଚର୍ଚ୍ଚା ଉଠିଲା

କେତେ ଖବରକାଗଜ ,ଟିଭି ପରଦା

ଖାଲି ପଡ଼ିଲା ଆଉ ଉଠିଲା ,

ସମବେଦନା , ଶୋଭାଯାତ୍ରା

ଅଧିକାର ପାଇଁ ଦାବି

ଦୋଷୀକୁ ଦଣ୍ଡ ଏମିତି ନାନା ଶବ୍ଦ ରେ

ଗଗନ ପବନ ପ୍ରକମ୍ପିତ ହେଲା ।


ଦେହ ମାନେ ତେଣୁ ଏକାଠି ହେଲେ

ଈଶ୍ୱରଙ୍କ ପାଖକୁ ଯିବେ ଦାବୀପତ୍ର ନେଇ

ଈଶ୍ୱରଙ୍କ ଗାଁ ରେ ସେଦିନ ଥମଥମ ଭାବ

ନିଜେ ଈଶ୍ୱର ଘୋର ସଂକଟ ରେ ,

ଧର୍ଷିତା, ପୀଡିତା , ଦଳିତା , ଲାଞ୍ଚିତା , ପରିତ୍ୟକ୍ତା

ଆଦି ଅନେକ ମୋହର

ଲାଗିଥିଲା ଏଇ ଦେହ ମାନଙ୍କରେ ।


ଈଶ୍ୱରଙ୍କ ଦୃଷ୍ଟି ନିବଦ୍ଧ ଶେଷ ଦେହଟିରେ

ଯିଏ ମୁହଁ ତଳକୁ କରିଥିଲା ଘୋର ଲଜ୍ଜା ରେ

 ତା ଦେହରେ ନଥିଲା ନାଁ ,

କିନ୍ତୁ ଚରମ ଘୃଣା ରେ ସେ ନିଜକୁ ନିନ୍ଦୁଥିଲା

କାରଣ ସେ ଥିଲା ଜଣେ ବଳାତ୍କାରୀ ର ମାଆ ।


ସେ ମଧ୍ୟ ଆସିଥିଲା ଗୁହାରି ଧରି

ଈଶ୍ୱର ମଧ୍ୟ ପଚାରିଲେ ଦେହମାନଙ୍କୁ

ସେମାନଙ୍କ ଦାବିପତ୍ର ର ବିଷୟ ,

ସମସ୍ତେ କହୁଥିଲେ ସେମାନଙ୍କ

ଭାଗ୍ୟ ଆଉ ଭୋଗର କଥା

ସେମାନଙ୍କ କପାଳରେ ଲେଖା ଯାଇଥିଲା

ବିଡମ୍ବନା ଆଉ ନୀରବତାର ପ୍ରତିବାଦ

ଚାପା ଦୀର୍ଘଶ୍ଵାସ , ତୀବ୍ର ଅସନ୍ତୋଷ

କେମିତି ଗୁମୁରି ମରେ ଇଚ୍ଛା ର କପୋତୀ

ଡେଣା ପିଟି ମୃତ୍ୟ ଲଭେ ହୃଦୟର ବ୍ୟଥା ।


ଦେହ ମାନେ ତ କେବଳ ଦେହ

ସେଠି ଫରକ ପଡେନା

ବୟସୀ , ଅଳ୍ପବୟସୀ ଅବା ଅବୟସୀ

ଦେହ ମାନେ ତ କେବଳ ଦେହ

କେବଳ କାମନାର ପୂର୍ତ୍ତି

ଯାଗ ରେ କିମ୍ବା ଭୋଗରେ

କେଉଁଠି ଲୁଚିଥାଏ ଈଶ୍ୱର ଙ୍କ ହସ୍ତ ?????

ଏଇ ଦେହ ନାମକ ସୁକୋମଳ

କାମନା ବର୍ଦ୍ଧକ , ଉପଭୋଗ ର ସାମଗ୍ରୀ

ଆଉ ଏକ ଉତ୍ପାଦକ ଯନ୍ତ୍ର

ଦଳିତ ,ମଥିତ ,ପୀଡିତ ହେଲାବେଳେ

ଦହନ ର ଜ୍ବଳନ ରେ ଛଟପଟ ହେଲାବେଳେ

ଯେତେବେଳେ ସେ ଥାଏ କାକୁସ୍ଥ , ନିରସ୍ତ୍ର ????


ତୀକ୍ଷ୍ଣ ଶୁଳ ସମ ଈଶ୍ୱରଙ୍କ ହୃଦୟରେ

ବିଦ୍ଧ ହେଉଥିଲା ପ୍ରଶ୍ନବାଣ ଆସି

ଦେହ ମାନେ ତ ଅସଂଖ୍ୟ ଦେହର ସୃଷ୍ଟି କର୍ତ୍ରୀ

ତେବେ କେମିତି ରହିବେ ସୁରକ୍ଷିତ???

ଈଶ୍ୱର ତୁମ ସଂସାର ଆଜି

ଡୁବି ଗଲାଣି କାମୁକତାର ଅଶ୍ଳୀଳ ଅନ୍ଧାରେ

ମାନସିକତା ଏଠି ନଗ୍ନ ବିପର୍ଯ୍ୟସ୍ତ ।


ଯଦି ଆମେ ଦେବୀ , ସୃଷ୍ଟିମୟୀ ,ଶକ୍ତିମୟୀ

ତେବେ ଆମକୁ ଦିଅ ଅଗ୍ନିର ଶିଖା

ଆମ ଅଧର ରେ , ନୟନ ରେ

ଆମ ଅଙ୍ଗ ପ୍ରତ୍ୟଙ୍ଗରେ ,

ଭସ୍ମ କରିବାକୁ ଦିଅ କ୍ଷମତା

ଅଗଣିତ ରକ୍ତବୀର୍ଯ୍ୟ, ଭସ୍ମାସୁର ମାନଙ୍କର

କଳୁଷିତ ଇଚ୍ଛା , ଅହମିକା

ନଗ୍ନ ପୌରୁଷ ରେ ।


ବଳାତ୍କାରୀ ର ମାଆ ମଧ୍ୟ ଏଥର ସାମିଲ ହେଲା

ତା ସ୍ୱର ମଧ୍ୟ ଈଶ୍ୱର ଙ୍କୁ ସ୍ପଷ୍ଟ ଶୁଭିଲା ,

ହେ ଈଶ୍ୱର!!!! ଯଦି ନାରୀ ର ଅର୍ଥ କେବଳ ଦେହ

ତାର ଇଚ୍ଛା , ଅନିଚ୍ଛା, ଅସ୍ତିତ୍ୱ ର କିଛି ମୂଲ୍ୟ ନାହିଁ

ଅସୁରକ୍ଷା ଭାବନାରେ ତ୍ରସ୍ତ ସୃଷ୍ଟି ଆଉ ସ୍ରଷ୍ଟି 

ତେବେ କନ୍ୟାଟିଏ ଦେହ ଧରି ଆସିବ ବା କାହିଁ ???

ପବିତ୍ର ଗର୍ଭରୁ ଯଦି ଦାନବର ସୃଷ୍ଟି ହୁଏ

ତେବେ ହେ ଈଶ୍ୱର - - - - - -

ଆଜି ଏହି ଦେହ ମାନଙ୍କ ଠାରୁ

ବନ୍ଦ ହେଉ ସୃଷ୍ଟି ର ପ୍ରକ୍ରିୟା,

ଆମଠାରୁ ଶେଷ ହେଉ

ଦେବୀ ଆଉ ଦାନବର ଜନ୍ମ ,

ଇଚ୍ଛା କରୁନାହୁଁ ଆମେ ପାଲଟିବାକୁ

ଆପଣଙ୍କ ସୃଷ୍ଟି ର ଉତ୍ପାଦନ ଯନ୍ତ୍ର

ଏତିକି ଆମର ନିବେଦନ

ଆମ ମାନଙ୍କୁ କରିଦିଅ ଆଜିଠାରୁ ଜରାୟୁହୀନ ।



Rate this content
Log in

Similar oriya poem from Tragedy