ଦେଏ ଲବଣୀ ସର
ଦେଏ ଲବଣୀ ସର
ମାଆ ମୋତେ ଭୋକ କଲାଣି
ଦେଏ ଲବଣୀ ସର ,
ସେତିକି ତୁ ଦହି ମନ୍ଥିଥା'
ଯିବି ସଖାଙ୍କ ଘର
ଖେଳିବି ମୁଁ ତାଙ୍କ ସାଥିରେ
ଏବେ ହେଲାଣି ଡେରି ,
ସୁରୁଜ ବୁଡ଼ିବା ଆଗରୁ
ନିଶ୍ଚେ ଆସିବି ଫେରି
କରିବିନି ଜମା କା' ଘରୁ
ଦୁଧ ଦହି ମୁଁ ଚୋରି ,
ଯେ ଆସି ମିଛରେ କହିବ
ଦେବୁ ଆକଟ କରି
ତୁ ଜାଣିଛୁ କେଡ଼େ ସୁଧାର
ପରା ତୋ ଧନମାଳି ,
ଅନ୍ୟ କଥା ଶୁଣି ଜମାରୁ
କେବେ ଦେବୁନି ଗାଳି
ଯିବି ମୁଁ ସଅଳ ମାଆ ଲୋ
ଦେଏ ଦୁଧ ଗଇଁଠା ,
ଜାଣିଛୁ ତ ମୋର ପସନ୍ଦ
ଭାରି ଲାଗଇ ମିଠା
ଦେଏ କିଛି ଦୁଧ,ଦହି ଲୋ
ନେବି ସାଥୀଙ୍କ ପାଇଁ ,
ଏକଠାବେ ରୁଣ୍ଡ ହୋଇକି
ଥିବେ ମୋ ବାଟ ଚାହିଁ

