STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ -ଉନବିଂଶ କଳିକା

ଦେବଯାନୀ -ଉନବିଂଶ କଳିକା

2 mins
166


ବୃଷପର୍ବା ଦାନବ-କଣ୍ଠୀରବ,*

ରଡି ଦେଲେ କମ୍ପିଉଠେ ତ୍ରିଦିବ।।&

ତାଙ୍କ ମୁକୁଟ ହେଲେ ଆନ୍ଦୋଳିତ,

ସ୍ୱର୍ଗପୁରେ କମ୍ପେ ବାସବ ଗାତ୍ର।।#

ରଣ ହୁଙ୍କାର ଦେଲେ ସେହୁ ଥରେ,

ଥରେ ପୃଥିବୀ ବାସୁକି'ର ଶିରେ।।

ମହାସାଗର ଡରେ ଯାଏ ଘୁଞ୍ଚି,

ଧ୍ୟାନ ତେଜିଣ ଚାହାନ୍ତି ବିରଞ୍ଚି ।।


ଏତେ ଶକ୍ତି ଥାଇ କେଉଁ କାରଣ,

ବସି ବିଚାରନ୍ତି ଦାନବ ରାଣ ।

କଚ ଦାନବଙ୍କ କଣ୍ଠ କଣ୍ଟକ,

ସଂଜୀବନୀ ଲଡୁ-ଚୋର ମୂଷିକ।।

ତୁଚ୍ଛ ମୂଷିକ ସିଂହକୁ ଡରାଏ, 

ଏତେ ଭାଳି ଚିନ୍ତିତ ହେଲେ ରାୟେ।।

ଦୁଇ-ଧାରୁଆ କୃପାଣ ଯେସନ,

"ମୃତ୍ୟୁ ସଂଜୀବନୀ " ହେଲା ତେସନ।।

ଯାହା ଅମୃତ ରକ୍ଷ କୁଳପାଇଁ,

ଆଜି ଶତ୍ରୁକୁ ପ୍ରାଣ ଦିଏ ସେହି।।

ହୋଇ ଚିନ୍ତିତ 'ଆଉ କି କରିବା?'

ଅମାତ୍ୟକୁ ବୋଲନ୍ତି ବୃଷପର୍ବା।।


" ଯେଉଁ ପରାମର୍ଶ ଦେଇଛ ତୁମ୍ଭେ,

ସେହି କଥାରେ ସହମତ ଆମ୍ଭେ।।

କାଲି ଗୁରୁଙ୍କର ଜନ୍ମ ଦିବସ,

ତାହା ପାଳିବ ସାରା ରକ୍ଷଦେଶ।।@

ମହା ଆଡମ୍ବରେ ହେବ ପାଳନ,

ଗୁରୁ ପୁତ୍ରୀଙ୍କୁ ହେବ ନିମନ୍ତ୍ରଣ ।।

ସହଜେ ତ ଶର୍ମିଷ୍ଠାର ସଜନୀ,

ଶୁକ୍ର ସଙ୍ଗେ ଆସନ୍ତୁ ଦେବଯାନୀ।।

ତେଣେ କଚକୁ କରିବା ହରଣ,

ତାର ଶରୀର କରିବା ଦହନ।।

ଆଶ୍ରମରେ ନଥିବେ ଦେବଯାନୀ, 

କଚ ହରଣ ନ ପାରିବେ ଜାଣି।।

ମହା ଭୋଜ୍ୟର କରି ଆୟୋଜନ,

ମଦିରା କରିବା ପରିବେଷଣ।।

କଚ ଶରୀରର ଭସ୍ମ ମିଶାଇ,

ସୁରା ଆଚାର୍ଯ୍ୟଙ୍କୁ ଦେବା ପିଆଇ।।

ଗୁରୁଙ୍କର ଗର୍ଭେ ଯିବ ପାମର,

ବଂଚାଇବେ କେମନ୍ତେ ଗୁରୁବର ?  


ତାକୁ ପୁନର୍ଜନ୍ମ ଯେବେ ଦେବେଟି,

ତାଙ୍କ ନିଜ ଉଦର ଯିବ ଫାଟି।।

ନିଜ ମୃତ୍ୟୁକୁ ଭୃଗୁଙ୍କ ନନ୍ଦନ,₹

ନ କରିବେ କଦାଚନ ବରଣ ।।

କଚ ବିନାଶ ଯିବ ଏ ପ୍ରକାର,

ଆମ୍ଭ କଣ୍ଟକ ହୋଇଯିବ ଦୂର।।

ଗୁପ୍ତ ରଖ ଅମାତ୍ୟ ଏ ସମ୍ବାଦ,

ଗୁରୁ ନ ପାଇବେ ସ୍ୱର ଶବଦ।।

କରି ଏମନ୍ତ ଗୁପ୍ତ ଆୟୋଜନ,

ନିମନ୍ତ୍ରଣ ପଠାଇଲେ ରାଜନ।।


ରାଜ୍ୟ ମଧ୍ୟରେ କୋଣେ ଅନୁକୋଣେ,

ଗୁରୁଙ୍କର ଜନ୍ମଦିନ ପାଳନେ ,

ସର୍ବେ ହୋଇଲେ ଉତ୍ସବେ ମଗନ ,

ରାଜପଥେ ଶୋଭେ ଭବ୍ୟ ତୋରଣ।।

ପୁଷ୍ପେ ସଜ୍ଜିତ କରି ନିଜପୁର,

ସର୍ବେ ମହାନନ୍ଦେ ହୋଇଲେ ଜୁର ।

ଏ'ତ ନୁହେ ସାଧାରଣ ଉତ୍ସବ,

ପୂଜ୍ୟପୂଜାର ମହା ଗଉରବ।।

ମହାବଳୀ ବୃଷପର୍ବା ଆଦେଶ,

ପାଳନରେ ତ୍ରୁଟି ନହେବ ଲେଶ ।


ଏ କି ଛଳନାର ମହାପର୍ବ ହେ !

ଲକ୍ଷ୍ୟ ଦେବତାଙ୍କ ଗର୍ବ ଖର୍ବ ହେ।।

ପୂଜ୍ୟ-ପୂଜା ଉପଲକ୍ଷ ମାତର, 

ଦେବଯାନୀ ନିମନ୍ତେ ଖଣ୍ଡାଧାର।


ବଡ ଆଶ୍ଚର୍ଯ୍ଯ ! ଦେବଯାନୀ ବାଳୀ,

ରକ୍ଷ, ଦେବତାଙ୍କ କଣ୍ଠ ଅର୍ଗଳି।

ଏ'ତ ବିଚିତ୍ର ଉପାଖ୍ଯାନ ଏକ,

ଜଣେ ଦୁଇ ବିରୋଧୀଙ୍କ କଣ୍ଟକ।

ସୁରଲୋକରେ ପଡିଛି ଭାଳେଣି,

କଚ'ଙ୍କୁ ବଶ କରି ଦେବଯାନୀ।

ଦେବତାଙ୍କ ଆଶା ପଣ୍ଡ କରିବେ,

ଦେବେ ସଂଜୀବନୀକୁ ଝୁରୁଥିବେ।

ଏଣେ ଦାନବେ କରନ୍ତି ବିଚାର ,

'ଦେବଯାନୀ ମଧୁ,କଚ ଭ୍ରମର।

ପ୍ରେମଜାଲରେ ପକାଇ ରାମାକୁ, 

ଘେନିଯିବ ସଂଜୀବନୀ ମନ୍ତ୍ରକୁ।'


ପ୍ରୀତି ଏ ଛନ୍ଦ କପଟ ନଜାଣେ, 

ରାଜନୀତି ତାର କେଉଁ କାରଣେ !

ସ୍ନାୟୁ ସହରେ ପ୍ରୀତିର ଆବାସ,

ଫୁଲ-ଭ୍ରମର ଭାବରେ ସେ ବଶ।

ସେ'ତ ଅନୁଭବ ଏକ ମନର,

ତାର ପରଶେ ମନ ସ୍ୱର୍ଗପୁର।

ପ୍ରୀତି ମଳୟ ବହିଲେ ମନରେ ,

ଜହ୍ନ ଉଦେହୁଏ ସ୍ନାୟୁ ସହରେ।

ସେ'ତ ଅଦୃଶ୍ୟ ଫଲ୍ଗୁନଦୀ ତୋୟ,

ତାର ଲକ୍ଷ୍ୟ ପ୍ରେମିକର ହୃଦୟ।

ଏତେ ରାଜନୀତିରେ କାହିଁପାଇଁ,

ଦେବଯାନୀ ମନ ଭ୍ରମିବ ଯାଇ !!


କ୍ରମଶଃ: ---

*କଣ୍ଠୀରବ---ସିଂହ

& ତ୍ରିଦିବ---ସ୍ୱର୍ଗ

# ବାସବ--ଇନ୍ଦ୍ର

@ ରକ୍ଷ---ରାକ୍ଷସ

₹ ଭୃଗୁ ନନ୍ଦନ---ଶୁକ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics