ଦେବଯାନୀ-ସପ୍ତମ କଳିକା
ଦେବଯାନୀ-ସପ୍ତମ କଳିକା
ପଚାରନ୍ତି ଦେବଯାନୀ 'ହେ ଦେବ !
ବେଶରେ ଯୋଗୀ,ରୂପେ କାମଦେବ,
ପାଦେ କଠାଉ କନ୍ଧେ ଉପବୀତ,
ଗୈରିକ ବସନେ କି ଶୋଭାବନ୍ତ !!
କେଉଁ ଦେଶେ ତୁମ୍ଭ ଘର !
କେଉଁ ଅଭିପ୍ରାୟେ ଆଶ୍ରମ ପ୍ରାଙ୍ଗଣେ,ଆସିଅଛ ଦ୍ୱିଜବର !।
କେଉଁ ରାଜ୍ୟ ଶିରୀ କଲ ମଳିନ,
କେଉଁ ମାତାପିତା କୋଳକୁ ଶୂନ୍ୟ ?
ମୁଖୁ ଝରିପଡେ ହସ ମୁକୁତା,
ଚନ୍ଦ୍ରାତପ ରୂପେ ହୋଇ ଯୁକତା ,
ପ୍ରଭା କରେ ବିକିରଣ ,
ପ୍ରତେ ହୁଏ ରୂପ ଦେବତା ସ୍ୱରୂପ,କୁହ କିବା ତୁମ୍ଭ ନାମ ।।
ଦେବଯାନୀ ମୁଖୁଁ ଶୁଣି ଏ ଗୀର,
ସ୍ମୀତ ହସି ବୃହଷ୍ପତି କୁମାର,
ବୋଇଲେ ' ଏତେ ବିଶେଷଣ କାହିଁ,
ପାଇଲ ଭଗିନୀ ଏ ଦୀନ ପାଇଁ ?
ମୁଁ ଜଣେ ଜ୍ଞାନ ଭିକାରୀ ,
ଆସିଅଛି ଜ୍ଞାନ-ଗୁରୁ ଗନ୍ତାଘରୁ ନେବି କିଛି ଭିକ୍ଷାକରି ।।
ଭଗିନୀ ଗୋ ! ସ୍ୱର୍ଗପୁରେ ମୋ ବାସ,
ଶୁକ୍ରାଚାର୍ଯ୍ୟଙ୍କର ହେବାକୁ ଶିଷ୍ୟ,
ଆସିଛି କଚ ଅଟେ ନାମ ମୋର,
ବୃହଷ୍ପତି ଅଟନ୍ତି ମୋ ପିଅର ,
ବିଦ୍ୟାଶିକ୍ଷା ମୋର ଧର୍ମ ,
ଜ୍ଞାନ ସାଗରରୁ ଉପଳ ଖୋଜିବା,ମୋର ବର୍ତ୍ତମାନ କର୍ମ ।।
କଚ ବାଣୀ ଶୁଣି ଋଷିନନ୍ଦିନୀ,
ସଲ୍ଲଜ ବଦନେ ଯୋଡିଲେ ପାଣି,
ବୋଇଲେ ଧନ୍ୟହେଲି ଶୁଣି ଗୀର,
ପବିତ୍ର କଲ ଆଶ୍ରମ ଆମ୍ଭର ,
ପାଇ ତୁମ୍ଭ ପରିଚୟ ,
ମନ ଆହ୍ଲାଦିତ ଶୀତର ସମାପ୍ତ ବସନ୍ତ ଆସିଲା ପ୍ରାୟ ।।
ପୂର୍ଣ୍ଣ ଚନ୍ଦ୍ରମା ଚାହିଁ ନୀଳକଇଁ,
ସରୋବରେ ଯେହ୍ନେ ନାଚି ଉଠଇ,
ଦେବଯାନୀ ମନ ହେଲା ସେପରି,
ଚାହାଁଣୀ ବଦନୁ ନପାରେ ଫେରି ,
ମନ କହୁଥିଲା ଚାହାଁ ,
ଲାଜ କହୁଥିଲା କେଡେ ନିଲ୍ଲଜୀ ତୁ କି ଭାବୁଥିବେ ସେ ଆହା !!
ଶୁଣି କଚ-ଦେବଯାନୀ ଆଳାପ,
ପହଞ୍ଚିଲେ ପଶୁ ପକ୍ଷୀ କଳାପ,
କେ ବସିଲା ବାଳା ଗ୍ରୀବା ଦେଶରେ,
ମୃଗଶିଶୁ ଘଷିହୁଏ ପୟରେ ,
'କିଏ କିଏ' ପୁଛେ ଶାରୀ ,
ନୃତ୍ୟକରେ ଆସି ହଳଦୀବସନ୍ତ ନିକଟ ଲତା ଆଦରି ।।
ସହଜେ ତ ବସନ୍ତର ସମୟ ,
କୋକିଳ ଗାଏ ପାଇ ପରିଚୟ,
ପଶୁ ପକ୍ଷୀ ଆଉ ଥିଲେ ଯେ ଯେତେ,
ଯୋଡିଲେ ଆନନ୍ଦେ ସ୍ୱର ସଂଗୀତେ ,
ଦେଖି ଏ ଅଭିନନ୍ଦନ ,
ଆନନ୍ଦେ ନାଚିଲା ହୃଦ-ସରସୀରେ କଚ ସରସୀଜ-ମନ ।।
କ୍ରମଶଃ- -----
