STORYMIRROR

Kulamani Sarangi

Classics

2  

Kulamani Sarangi

Classics

ଦେବଯାନୀ (ଏକାଦଶ କଳିକା)

ଦେବଯାନୀ (ଏକାଦଶ କଳିକା)

1 min
162

ଦେବଯାନୀ 

(ଏକାଦଶ କଳିକା)


ହୃଦୟ ମନ୍ଦିରେ ପ୍ରେମ ପବିତ୍ର ମୂରତି,

ପୂଜା କରୁଥାନ୍ତି ଦେବଯାନୀ ଦିବା-ରାତ୍ରି


ମନ ଉଦ୍ୟାନରୁ ସୁଗନ୍ଧିତ ଫୁଲ ତୋଳି,

ପ୍ରେମ ପ୍ରତିମାରେ ଦେଉଥାନ୍ତି ପୁଷ୍ପାଞ୍ଜଳି


ଶୟନେ ସ୍ୱପନେ ଜାଗରଣେ ଦେବଯାନୀ, 

କଚ ନାମମାଳା ଜପୁଥିଲେ ସୁହାସିନୀ


ପାଦପ ସହିତ ଛାୟା, ଫୁଲ ସହ ରେଣୁ

ସମ ବିଜଡିତ ଯଥା ସ୍ୱନ ସଙ୍ଗେ ବେଣୁ


ଶୀତାଂଶୁ ସହିତ ଜ୍ୟୋତ୍ସ୍ନା ଯଥା ବିଜଡିତ,

ଅବିଛିନ୍ନ ଦୁହେଁ ଯଥା ମେଘ ଓ ତଡିତ


ଉଦ୍ୟାନେ ଭ୍ରମନ୍ତି ଦୁହେଁ ସୁମନ ଚୟନେ, 

କାନନେ ଭ୍ରମନ୍ତି ଶୁଷ୍କ କାଷ୍ଠ ଆହରଣେ


ମଧୁରେ ଡାକିଲେ କଚ "ଦେବଯାନୀ"ବୋଲି,

ଶତ କଦମ୍ବ ରୋମାଞ୍ଚେ ଶିହରନ୍ତି ବାଳୀ


ଚମ୍ପାଫୁଲ ତୋଳୁଥାନ୍ତି କଚ ବୃକ୍ଷଡାଳେ,

ଅପଲକେ ଚାହିଁଥାନ୍ତି ଦେବଯାନୀ ତଳେ


'ଧର' ବୋଲି ଚମ୍ପାଫୁଲ କଲେ ପ୍ରକ୍ଷେପଣ,

ସୁଠାମ ବକ୍ଷୋଜ ପରେ ପଡେ ସେ ସୁମନ


"ଶିବଙ୍କ ପାଇଁ ଏ ଚମ୍ପା ପରା ତୋଳିଥିଲି"

ବୋଲନ୍ତେ କଚ ଏ ଗିର ହସନ୍ତି ଛଇଳୀ


ଶ୍ଳେଷବାଣୀ ବୁଝନ୍ତି ଉଭୟେ ନୀରବରେ,

ରକ୍ତିମ ହୁଏ ଚିକୁର ବାଳାର ଲାଜରେ


ଚାରି ଚକ୍ଷୁ ନୀରବେ ହୁଅନ୍ତି କେତେ କଥା,

କଥା ଠାରୁ ମଧୁର ତାଙ୍କର ନୀରବତା


ଅର୍ଦ୍ଧ ପ୍ରସ୍ଫୁଟିତ ମଲ୍ଲୀମାଳ ହାତେଦେଇ, 

ବାଳା ବୋଲେ "କଚ ବେଣୀ ଦିଅ ମୋ ସଜାଇ


ରକ୍ତ ଗୋଲାପ ଧରାଇ କହନ୍ତି ଗେଲରେ, 

"ଖୋସିଦିଅ କଚ ଫୁଲ ମୋର କବରୀରେ


ଗାଭୀ ଦୋହନ କରନ୍ତି କଚ ଯେତେବେଳେ,

ପାଶେ ଲାଗି ବସିଥାନ୍ତି ରାମା କୁତୁହଳେ


ତରୁଡାଳେ ସୁମଧୁରେ ଡାକିଲେ କୋକିଳ, 

ଶୁଣି ନପାରନ୍ତି ବାଳା ହୋଇ ପ୍ରେମଭୋଳ


ଉଡିଯାଉଁ ପିକ କହେ "ଏଡେ ତୁ ଫୁଲେଇ

କଚ ଅଛି ପାଶେ ବୋଲି ନ ଚାହୁଁ ଆଡେଇ"


ମୃଗ ଶିଶୁ ଛନ୍ଦିହେଲେ କହନ୍ତି ବିରକ୍ତେ,

"ଯାଉନୁ ଚରିବୁ,ପାଶେ ପାଶେ ବୁଲୁ କେତେ


କାନନେ ଭ୍ରମନ୍ତି ଦୁହେଁ ଶୁକ ଶାରୀ ପରି,

ସରିଯାଏ ଦୀର୍ଘଦିନ ମୁହୂର୍ତ୍ତକ ସରି


ଏହିପରି ବିତିଯାଏ ଦିନ ଦୁହିଁଙ୍କର, 

ଆଶ୍ରମ କାର୍ଯ୍ୟରେ କଚ ଥିଲେ ଧୁରନ୍ଧର


ବିଦ୍ୟା ଶିକ୍ଷା ସଙ୍ଗେ ଦେବକାର୍ଯ୍ୟ, ଯଜ୍ଞକାର୍ଯ୍ୟ,

ଗୁରୁ ସେବା କରୁଥାନ୍ତି ଠିକେ ଠିକେ ଆର୍ଯ୍ୟ


ବିନୟ ଭକତି ବୁଦ୍ଧି ସେବା ଗୁଣ ବଳେ,

ଅନାୟାସେ କଚ ଗୁରୁ ଚିତ୍ତ କିଣିନେଲେ


ଆଶ୍ରମେ ଦେବଯାନୀର ପ୍ରସନ୍ନ ମାନସ,

ପ୍ରଦାନ କଲା ଶୁକ୍ରଙ୍କୁ ବିପୁଳ ସନ୍ତୋଷ


କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics