STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ-ଦ୍ୱାବିଂଶ କଳିକା

ଦେବଯାନୀ-ଦ୍ୱାବିଂଶ କଳିକା

2 mins
279


ପ୍ରଶାନ୍ତ ଦିଶଇ ସିନା ପାରାବାର,

ଉଦ୍ବେଳିତ ଥାଏ ଗରଭ ତାହାର।

ଶୁକ୍ରାଚାର୍ଯ୍ୟଙ୍କର ମୁଖ ସେହିପରି,

ପ୍ରଶାନ୍ତ;ଅନ୍ତରେ ଦୁଃଖ ଥିଲା ପୂରି।

ବୋଇଲେ କନ୍ୟାକୁ ଚାହିଁ ମହାମୁନି,

ନିରାଶା କାହିଁକି ଏତେ ଦେବଯାନୀ !

ମାଆ ଲୋ ,ପୋଛିଦେ ନୟନୁ ଲୋତକ,

ତୋ ଶୁଷ୍କ ବଦନ ମୋ ପ୍ରାଣ ଘାତକ।"


କରନ୍ତେ ମାନସ ଦୃଢ ମୁନିବର,

ଚିନ୍ତାଚକ୍ର ହେଲା ହୃଦୟରେ ସ୍ଥିର।

ବିଚାରିଲେ ଏହା ବିଧାତା ବିଧାନ,

ରାକ୍ଷସଙ୍କ ମୂଢପଣର କାରଣ।

ଏମନ୍ତ ବିଚାରି ସଞ୍ଜୀବନୀ ବଳେ,

ଦେବପୁତ୍ରେ ମୁନି ଜୀବନ୍ୟାସ ଦେଲେ।


ଗୁରୁ ଡାକନ୍ତି"ଶୁଣ ହେ କଚ ଧୀର ! ,

ଏବେ ରହିଅଛ ଉଦରେ ଆମ୍ଭର।

ଶୁଣାଉଛି ମୁହିଁ ସଂଜୀବନୀ ମନ୍ତ୍ର,

କର ସେ ମନ୍ତ୍ରକୁ ତୁମ୍ଭେ ସ୍ମୃତିଗତ।

ହେବ ଯେବେ ତୁମ୍ଭେ ମୋ ଉଦରୁ ମୁକ୍ତ,

 ଉଦର ଫାଟିବ ହେବି ମୁହିଁ ମୃତ।

ପ୍ରାଣ ଦେବ ମୋ ଶବକୁ ମନ୍ତ୍ର ପଢି।

ମନ୍ତ୍ର ଉଚ୍ଚାରଣ ନଯିବଟି ହୁଡି।

ତିଳେହେଁ ବିଚ୍ୟୁତି ହେଲେ ମନ୍ତ୍ରପାଠେ,

ମୃତ ଶରୀରରେ ପ୍ରାଣ ନଲେଉଟେ।

ବିଷମ ପରୀକ୍ଷା ଏ ତୁମ୍ଭ ଶିକ୍ଷାର,

ମନେ ରଖିଥାଅ ଦେବପୁତ୍ର ଧୀର।


ଉତ୍ତର ଦିଅନ୍ତି କଚ ଉଦରରୁ, 

ପରୀକ୍ଷା ପାଇଁ ମୁଁ ପ୍ରସ୍ତୁତ ହେ ଗୁରୁ।

ଶୁଣି ଗୁରୁବର ହୋଇଲେ ନିଶ୍ଚିନ୍ତ, 

ଉଚ୍ଚାରିଲେ ମୃତ୍ୟୁ ସଂଜୀବନୀ ମନ୍ତ୍ର।

ବାରମ୍ବାର ମନ୍ତ୍ର କଲେ ଉଚ୍ଚାରଣ,

ଗର୍ଭେ ଥାଇ କଚ କଲେ ଆହରଣ। 

ଗୁରୁଙ୍କ ଆଦେଶ ପାଇ ଦେବପୁତ୍ର, 

ଉଦର ବିଦାରି ହୋଇଲେ ନିର୍ଗତ।


ଦେଖିଲେ ପଡିଛି ଦେହ ଗୁରୁଙ୍କର,

ଉଭା ଦେବଯାନୀ, ନେତ୍ରେ ଅଶ୍ରୁଧାର।

ବିଳମ୍ବ ନକରି ତିଳେ ଦେବପୁତ୍ର,

ଉଚ୍ଚାରିଲେ ମୃତ୍ୟୁ ସଂଜୀବନୀ ମନ୍ତ୍ର ।

ଉଭାହେଲେ ପ୍ରାଣ ଲଭି ମହାମୁନି,

ପ୍ରଣମିଲେ ପାଦେ କଚ ଦେବଯାନୀ ।


ଆଶୀର୍ବାଦ ଦେଲେ ଶୁକ୍ର ମୁନିଶ୍ରେଷ୍ଠ, 

ବୋଇଲେ "ବତ୍ସ ! ତୁ ଲଭିଛୁ ଅଭୀଷ୍ଟ ।

ଜ୍ଞାନ, ବିନୟ, ସାଧନା, ତପ ବଳେ,

କିବା ଅସମ୍ଭବ ଏହି ମହୀତଳେ?

ଘେନ ଆଶୀର୍ବାଦ ମୋର ଦେବପୁତ୍ର! 

ଜ୍ଞାନ ଗରିମାରେ ହୁଅ ପୁଷ୍ପବନ୍ତ।

ମନେରଖ ଦେବପୁତ୍ର ! ଜୀବନରେ,

ଜ୍ଞାନ ସମ ଧନ ନାହିଁ ଏ ବିଶ୍ୱରେ।

ଜ୍ଞାନ ବୃଦ୍ଧି ହୁଏ କଲେ ବିତରଣ,

ଚୋର ତାକୁ କରି ନ'ପାରେ ହରଣ।

ଜ୍ଞାନ-ଧନ ପାଇଁ ଭଣ୍ଡାର କି ଲୋଡା,

ମସ୍ତିଷ୍କରେ ହୋଇଥାଏ ସେ ସଜଡା

ଜ୍ଞାନ ନବାଣ୍ଟିଲେ ହୋଇଯାଏ କ୍ଷୟ,

କାର୍ପଣ୍ୟ ତାହାର ନୁହଇ ଆଶ୍ରୟ ।


ଅଦୃଶ୍ୟ ମୁକୁଟ ସେହି ବ୍ୟକ୍ତି ଶିରେ, 

ଦେଖିଲେ ଜ୍ଞାନୀକୁ ସମ୍ରାଟ ଜୁହାରେ।

ସମ୍ରାଟର ପୂଜା ସିନା ନିଜ ଦେଶେ,

ଜ୍ଞାନୀ ପୂଜା ପାଇଥାଏ ସାରା ବିଶ୍ୱେ।

ବିନୟ ଅଟଇ ଜ୍ଞାନର ଭୂଷଣ,

ଗର୍ବ ଅହଙ୍କାର ତା ପାଇଁ ଦୂଷଣ।

ଜ୍ଞାନ ନୁହେଁ କାହା ପୈତୃକ ସମ୍ପତ୍ତି, 

ସମସ୍ତଙ୍କ ମାତା ଦେବୀ ସରସ୍ୱତୀ।

ମନେ ରଖିଥିବ କଚ ମୋ ବଚନ,

ଜ୍ଞାନ ନକରିବ ଅପାତ୍ରରେ ଦାନ।

ବିଶ୍ୱ ଅକଲ୍ୟାଣ ହୋଇବ ତହିଁରେ,

ଦୁରୁପଯୋଗ ତା ହୋଇଲେ ମହୀରେ ।


ପରୀକ୍ଷାରେ ତୁମ୍ଭେ ହୋଇଛ ଉତ୍ତୀର୍ଣ୍ଣ, 

ଶିକ୍ଷା ହେଲା ଗୁରୁକୁଳରେ ସମ୍ପୂର୍ଣ୍ଣ ।


କ୍ରମଶଃ: ----


Rate this content
Log in

Similar oriya poem from Classics