ଦେବା ଥିବା
ଦେବା ଥିବା
ଦାନ କିଛି ଦେବା ଦୁଃଖୀଲୋକକୁ
ସେ ପାତିଛି ହାତ
ସାହସଟି ଦେବା ନାଉରିଆକୁ
ସେ ଧରିଛି କାତ ।
ପାଣି ଆଣି ଦେବା ଗଛମୂଳକୁ
ସେ ଦେଉଛି ଛାଇ
ରଖିଥିବା ସଦା ପାଶେ ତାହାକୁ
ସେ ହୋଇଛି ଭାଇ ।
ଘାସ ବିଡ଼ା ଦେବା ଗାଈ ମୁହଁକୁ
ସେ ଦେଉଛି କ୍ଷୀର
ସଫା ରଖିଥିବା ନଈ ଦେହକୁ
ସେ ଦେଉଛି ନୀର ।
ସଲାମ କରିବା ସଇନିକକୁ
ସେ ଜଗୁଛି ଦେଶ
ଆରମ୍ଭ କରିବା କାମ ଗୋଟିକୁ
ସେ ଚାହୁଁଛି ଶେଷ ।
କାନ ଡେରି ଥିବା ସୁର,ତାଳକୁ
ସେ ଗାଉଛି ଗୀତ
ଆଦର କରିବା ମଣିଷଟିକୁ
ସେ ବସିଛି ମିତ ।
ଥିବା ତା' ସହିତ ସୁଖ ଦୁଃଖକୁ
ସେ ଖୋଜୁଛି ସାହା
ବାପା, ଅଜା,ଭାଇ,ଭଉଣୀ ଅବା
ସେ ଆମରି ମାଆ ।
