କବିତା - ଡ଼ାଲିମ୍ବ ଫୁଲର ମାୟା
ରଚନା - ପଞ୍ଚାନନ ଜେନା
ତାରିଖ -୩୧-୦୭-୨୦୨୫
ତୁମ ଡ଼ାଲିମ୍ବ ଫୁଲର ହସ
ଚହଟଇ ଚଉପାସ
ତୁମ ମନ ତଳର ବାସ ସୁବାସ
ମୁରୁକି ହସାଏ ଦଶଦିଶ
ଏମିତି କହୁଥିବା
ମୃଦୁ ମଳୟ ପରି
ଛୁଇଁ ଯାଉଥିବା
ସେହି କଲେଜ ବେଳର ବନ୍ଧୁଙ୍କୁ
ଆଜି ମନେ ମନେ ଖୋଜେ
ଯଦିଓ ଜାଣିଛି
ଖୋଜିବାର ଦିନ ସରିଲାଣି କେବେଠାରୁ
ପାଇବାର ମୋହ ବି ଶୁଖିଲାଣି ଅତୀତର ଗଣ୍ଠିଲିରୁ
ବର୍ଷାସ୍ନାତ ଗୋଧୂଳୀ ସଞ୍ଜରେ
ବୁଲୁଥିଲେ ଛାତ ଉପରେ
ସେହି ବନ୍ଧୁ ଉଭା ହୋଇଯାଆନ୍ତି ସାକ୍ଷାତ ରୂପରେ
ସ୍କୃତି ସିନ୍ଧୁକର ତାଲା ଖୋଲି
କଳା ଘୁମର ବାଦଲ କାନ୍ଧରେ
ଦୂର ପାହାଡ଼ର ଉଡନ୍ତା ମେଘ ପାଲିଙ୍କିରେ
ମୋତେ ଲାଗେ ତାରାମାନେ ଝକମକି ପଥରର ସ୍ଫୁଲିଙ୍ଗ ପରି ଖୁବ୍ ହସନ୍ତି
ଚନ୍ଦ୍ରାଲୋକର ସବୁ ଜ୍ୟୋତ୍ସ୍ନା
ଆକ୍ତାମାକ୍ତା ଢଙ୍ଗରେ ଢାଳୁଥାନ୍ତି
ବୋଧେ ତନୁ ଶୀତଳ କରି ଶାନ୍ତି ପାଆନ୍ତି
ଆଗରୁ କେବେ କେବେ
ସ୍ୱପ୍ନରେ ଭେଟ ହେଉଥିଲା
ସ୍ବପ୍ନପ୍ରବଣ ବାଉଳାପଣରେ
ବ୍ୟସ୍ତ ବିବ୍ରତ ମନରେ ଶାନ୍ତି ପ୍ରଶାନ୍ତି
ଚକା ପାରି ବିରାଜୁ ଥିଲା
ମାତ୍ର ଆଜି ବ୍ୟାଙ୍କରେ କିମ୍ବା ମାର୍କେଟ ଗଳିରେ
ମୋ ବସ୍ ରେ ଚଢୁ ଚଢୁ କିମ୍ଵା ସପିଙ୍ଗ ମଲ୍ ରେ ଖସୁ ଖସୁ
ସତ ସତିକା ଭେଟ ହୋଇଗଲେ ଆଗରେ
ସମାଜର ବନ୍ଧନ ବାଟ ଭଗାଳି ବସେ
ମନେ ମନେ ନମସ୍କାର ମୁଦ୍ରାରେ ଦୁଇପଦ କହିବା ଭାବିବା ବେଳକୁ
ଜୀବନ ଜଞ୍ଜାଳ ସବୁ ଦୁଇ ହାତରେ ଲଦା ହୋଇଥିବା ଓଜନିଆ ବ୍ୟାଗ୍ ଭିତରେ
ମୋଡି ମକଚି ସଂଭ୍ରମୀ ଯାଏ
ସତେ ଯେମିତି
ଲାଭକୁଳି ଲତା ପରି ଝାଉଁଳି ପଡିବ
ବନ୍ଧୁ ହାତର ଛୁଆଁ ପାଇଲେ ଛାଏଁ ଛାଏଁ
ସାବାସ୍ ଜୀବନ !
ଖବର ରଖିବୁ କେଉଁ ଏପାଟମେଣ୍ଟରେ ରୁହନ୍ତି
କେଉଁ ଅଫିସରେ କାମ କରନ୍ତି
ତାଙ୍କ ସୋସାଇଟିର କୁନି ଝିଅ ସହିତ
ଦେଖା ହେଲେ ଲିଫ୍ଟରେ ପଚାରି ପାରିବୁ
ଚକୋଲେଟ ଦେଉଥିବା ଆଙ୍ଗଲଙ୍କ ଘରେ
ଆଉ କିଏ ସବୁ ଅଛନ୍ତି ରୁହନ୍ତି
ପଛ ବାଲକୋନି ଗାମୁଲାରେ ଡ଼ାଲିମ୍ବ ଗଛ
କେଡୁଟେ ହେଲେଣି
ଫୁଲ ଫଳରେ ଲହ ଲହକା ହସୁଥିବେ
ଦାନ୍ତ ଦେଖେଇ ମାରୁଥିବେ ଫୁଟାଣି
ଇତ୍ୟାଦି ଇତ୍ୟାଦି
ସବୁ ଜାଣି ଶୁଣି ଓଢ଼ଣା ଟାଣି
ବୋଧେ ମନେ ମନେ ସଜ ଖବର ରଖିବା
ତାଜା ତୋରାଣି ପରି ଉପରେ ସଫା ସଫା
ହାଣ୍ଡିତଳେ ବସିଥିବ ମଣ୍ଡ ବିନ୍ଧାଣୀ
ମାତ୍ର ଆଖି ଆଗରେ ଦୈବାତ୍ ପଡି ଗଲେ
ସତ ସତିକା ରାସ୍ତାଘାଟରେ ଭେଟ ହୋଇଗଲେ
ଚାରି ଚକ୍ଷୁର ମିଳନ ମୁଦ୍ରାରେ ଥରେ ମାତ୍ର
ଫଟୋ ଫ୍ରେମିଙ୍ଗ ହୋଇଗଲେ
କାହିଁକି ନରମୀ ଯାଏ ମନ ସମ୍ମୋହନ ?
କାହିଁକି ତଳକୁ ଚାହିଁ ପକାଏ ପଳାଏ
ମୌନୀ ଅମାବାସ୍ୟାର ସ୍ନାନରେ ତନୁମନ ?
କାହିଁକି ନୀରବି ଯାଏ ଶତାବ୍ଦୀ ତଳର
ପୁଞ୍ଜିଭୂତ ସ୍ନେହ ପ୍ରେମର ବ୍ୟୋମଯାନ ?
କାହିଁକି ? କାହିଁକି ? କାହିଁକି ?