ଦାସିଆ ବାଉରୀ ଓ ଶ୍ରୀ ଜଗନ୍ନାଥ
ଦାସିଆ ବାଉରୀ ଓ ଶ୍ରୀ ଜଗନ୍ନାଥ
ଜଗା ପାଇଁ ବାଲି ଦାସିଆ ପକ୍ବ ଆମ୍ବ କିଣିଛି ,
ସୁସ୍ୱାଦୁ ଆମ୍ବକୁ ଗଣ୍ଠିଲି କରି ବାନ୍ଧି ଧରିଛି ।
ଅଖିଆ ଅପିଆ ଆସିଛି ଧାଇଁ ଆମ୍ବକୁ ଧରି ,
ହୃଦ ଆତ୍ମା ଚାହେଁ ଜଗାକୁ ଦେବି ହାତରେ ଭରି ।
ଅରୁଣ ସ୍ତମ୍ଭରେ ନିକଟେ ରହି କହେ ଦାସିଆ,
ସ୍ନେହ ଶରଧାରେ ଆଣିଛି ଜଗା ଆମ୍ବ ତୁ ଖାଆ ।
ଚାହୁଁ ଚାହୁଁ ତାଆ ହାତରୁ ଆମ୍ବ ଅଦୃଶ୍ୟ ହେଲା ,
ସ୍ଵୟଂ ପରଂବ୍ରହ୍ମ ହସ୍ତକୁ ଦେଖି ପ୍ରଣାମ କଲା ।
ଦାସିଆ ଭକ୍ତିରେ ସେବକ ମାନେ ଆଶ୍ଚର୍ଯ୍ୟ ହେଲେ , ସିଂହାସନେ ଟାକୁଆ ଚୋପା ପଡିଥିବା ଦେଖିଲେ ।
ଏଭଳି ଘଟଣା ଦେଖିକି ପଣ୍ଡା ବିସ୍ମିତ ହେଲେ ,
ଦାସିଆ ବାଉରୀକୁ ସର୍ବେ ଧନ୍ୟ ଧନ୍ୟ କହିଲେ ।
ଭାବ ବିନୋଦିଆ ଠାକୁର ତୁମ୍ଭେ ଭକ୍ତ ବତ୍ସଳ ,
ଭକ୍ତ ପାଇଁ ପ୍ରଭୁ କାହିଁକି ହୁଅ ଭାବ ବିହ୍ୱଳ ।
କଅଣ କେଜାଣି ପାଉଛ ତୁମ୍ଭେ ଭକତ ଠାରୁ ,
ତୁମ୍ଭକୁ ଜଣା ତ ମୋତେ ଅଜଣା ହେ ମହାମେରୁ ।
ଦାସିଆ ଭକ୍ତିରେ ଶ୍ରୀ ଜଗନ୍ନାଥ ସନ୍ତୁଷ୍ଟ ହେଲେ,
ଶ୍ରେଷ୍ଠ ଭକତ ମର୍ଯ୍ୟାଦା ତାଙ୍କୁ ସମର୍ପି ଦେଲେ ।
ଶ୍ରୀ କଳାମାଧବ ଦାସିଆ ପ୍ରତି ପ୍ରସନ୍ନ ହେଲେ,
ନୀଳଚକ୍ର ମଧ୍ୟେ ଦଶାବତାର ଦେଖେଇ ଦେଲେ ।
ପ୍ରମାଣ ଦ୍ୟନ୍ତି ଶ୍ରୀମନ୍ଦିର ମଣି ଚକାନୟନ ,
ଜାତି ବଡ଼ ନୁହେଁ ବଡ଼ ତ ଏଠି ଭକତ ଜନ ।
