STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଦାରିଦ୍ର୍ୟ ଦୂରୀକରଣ ଦିବସ

ଦାରିଦ୍ର୍ୟ ଦୂରୀକରଣ ଦିବସ

2 mins
636


ଏ ମାଟି ଏ ପବନ ଏ ଧରିତ୍ରୀ ଆକାଶ

ଯେତେ ଅଣୁ ପରମାଣୁ ସୃଷ୍ଟି ପରିବେଶ

ନଦନଦୀ ଗିରିବନ ଉତ୍ତାଳ ସାଗର

ଅଟଇ ଏ ଧରାବାସୀ ସକଳ ଜୀବର

ଯେତେ ଜୀବ ପଶୁପକ୍ଷୀ କୀଟ ତରୁ ନର 

ରହିଅଛି ସଭିଙ୍କର ସମ ଅଧିକାର 

ସୁନ୍ଦର ପ୍ରକୃତି କୋଳେ ତିଷ୍ଠି ରହିବାର |


ସର୍ବପ୍ରାଣୀ ମଧ୍ୟେ ଶ୍ରେଷ୍ଠ ପୃଥିବୀର ନର

 କଳା ଗୋରା ଉଚ୍ଚ ନୀଚ୍ଚ ବିଭିନ୍ନ ଭାଷାର

ରୂପକାନ୍ତି ପିତୃ ବଂଶ ହେଉ ଯାହା ତା'ର

ରହିଥାଉ ଯେଉଁ ସ୍ଥାନେ ପଛେ ବାସଘର

ଅଛି ସଭିଙ୍କର ମାନବିକ ଅଧିକାର

ସ୍ବାଚ୍ଛନ୍ଦ୍ୟେ ଜୀବନ ଜୀଇଁ ସ୍ବପ୍ନ ଦେଖିବାର

କ୍ଷୁଧା ତୃଷା ଦାରିଦ୍ର୍ୟ ରହିତ ଜୀବନର |


ଦିନ ସରି ସଞ୍ଜ ଆସେ କ୍ରମେ ନିଶିଥର

ନିଶିଥର ଅନ୍ତେ ପୁଣି ନବ ପ୍ରଭାତର

ବଦଳେ କ୍ରମେ ତାରିଖ ଦିନ ତିଥି ବାର

ନୂଆ ପୃଷ୍ଠା ସହ ଶୋଭାପାଏ କ୍ୟାଲେଣ୍ଡର

କମେନି ଦାରିଦ୍ର୍ୟ ବା ନିରନ୍ନ ବୁଭୁକ୍ଷୁର

ଲୋପ ପାଏନାହିଁ ମୋଟେ' ହା ଅନ୍ନ' ଚିତ୍କାର

ସକାଳରୁ ସଞ୍ଜ ଅନ୍ନ ପଛେ ଧାବନର |


ଦାରିଦ୍ର୍ୟ ଓ କ୍ଷୁଧାମୁକ୍ତ ନୂତନ ବିଶ୍ବର

ରୂପରେଖ ଚାହେଁନାହିଁ କୌଣସି ସର୍କାର

ଆନ୍ତରିକ ଇଚ୍ଛା ନାହିଁ ମନରେ କାହାର

ଇଛାଥାଏ ସାଉଁଟିବା ଲୋକପ୍ରିୟତାର

ଦେଇ ମିଛ ନାରାବାଜି ନାନା ଯୋଜନାର

କରିବାକୁ ବୃଦ୍ଧି ନିଜ ଧନ ଦୌଲତର

ତାଳି ମାରି ଥାଳି ସଦା ଉଠାଇ ନେବାର |


ଫାଦର ଯୋଶେଫ୍ ରିସିନସ୍କିଙ୍କ ବିଚାର

ଦାରିଦ୍ର୍ୟ ଓ କ୍ଷୁଧା ପରି ସାମାଜିକ ବ୍ୟାଧିର

ପରାଭବ ଭୋଗୁଅଛି ସାରା ବିଶ୍ବେ ନର

ସର୍ବୋନ୍ନତ ରାଷ୍ଟ୍ରେ ଭିକ୍ଷା ବୃତ୍ତି କରେ ନର

କେହି କେହି କରୁଥାଏ “ହା ଅନ୍ନ” ଚିତ୍କାର

ରହିଛି ଅଭାବ ତାକୁ କରିବାକୁ ଦୂର

ଆନ୍ତରିକ ଇଚ୍ଛାଶକ୍ତି ସଙ୍ଗେ ପ୍ରଚେଷ୍ଟାର |


ଉନବିଂଶ ଶତ ସତାଅଶୀ ଅକ୍ଟୋବର

ତାରିଖଟି ହୋଇଥିଲା ସେଦିନ ସତର

କରିବାକୁ ମୂଳୋତ୍ପାଟ ଦାରିଦ୍ର୍ୟ ବ୍ୟାଧିର

ଆହ୍ବାନରେ ଜୋସେଫ୍ ରିସିନସ୍କିଙ୍କର

ସମବେତ ଏକଲକ୍ଷ ବିଶ୍ବ ମାନବର

ହୃଦୟର ସ୍ପନ୍ଦନରେ ପ୍ୟାରିସ୍ ସହର

ଦେଲା ଆହ୍ବାନ ଦାରିଦ୍ର୍ୟ ଦୂରୀକରଣର |


ସେଦିନର ସେ ଆହ୍ବାନ ସଚେତନତାର

ଦାରିଦ୍ର୍ୟ ବିରୁଦ୍ଧେ ଏକ ହୋଇ ଲଢିବାର

ଯୋଜନା ବଦ୍ଧ ଦାରିଦ୍ର୍ୟ ଦୂରୀକରଣର

ସଂକଳ୍ପ ନେଇ ଆଗକୁ ଆଗେଇ ଯିବାର

ଆଶା ରଖି ଜନେ ସଚେତନ କରିବାର

ଆସିଯାଏ ଯେବେ ଅକ୍ଟୋବର ସତର

ପାଳେ 'ଦାରିଦ୍ର୍ୟ ଦୂରୀକରଣ ଦିବସ'ର |


ଆସ ଆସ ଯେତେ ବିଶ୍ବ ବାସୀ ଭାଇ ମୋର

ଏକଜୁଟ ହୋଇଯିବା କରିବାକୁ ଦୂର

ଏ ଧରାରୁ ଦାରିଦ୍ର୍ୟ ବୁଭୁକ୍ଷା କଷଣର

କରିବା ସଫଳ ରୂପାୟନ ଯୋଜନାର

କରିବା ବ୍ୟବସ୍ଥା ସଭିଙ୍କ ରୋଜଗାରର

କରିବା ନିଶ୍ଚିତ ସଭିଙ୍କ ସ୍ବାବଲମ୍ବନର

ନିଜେ ଖଟି ଯେହ୍ନେ ପାଏ ନିଜର ଆହାର |


ଲୋଡା ହେବନାହିଁ ଟଙ୍କିକିଆ ଚାଉଳର

ଚାଷୀ ଆଉ କରିବନି ରାସ୍ତାରେ ଚିତ୍କାର

ବାଛିବନି ପନ୍ଥା ଆନ୍ଦୋଳନ ବିକ୍ଷୋଭର

ଲୋଡା ହେବନାହିଁ ଭିକ୍ଷା ଦେବା କି ନେବାର

ସଂରକ୍ଷଣ ଲୋଡା ଆଉ ହେବନି କାହାର

ରହିବନି ଆଉ ଦରିଦ୍ର ଭୋଟ୍ ବ୍ୟାଙ୍କର

ଶେଷ ହେବ ଦରିଦ୍ର ନାମେ ରାଜନୀତିର |


ରୋଜଗାର କ୍ଷମ ହୋଇ କରି ରୋଜଗାର

ସ୍ବାଚ୍ଛନ୍ଦେ ଚଳିବେ ସର୍ବଜନ ଏ ବିଶ୍ବର

ମୂଳୋତ୍ପାଟ ହେବ ଦୁଃଖ ଦାରିଦ୍ର୍ୟର

ହସି ହସାଇବେ ସର୍ବ ଜନ ଏ ବିଶ୍ବର

ଉଦ୍ରେକେ ସୁଖ ଶାନ୍ତି ମୈତ୍ରୀ ଭ୍ରାତୃ ଭାବର

ଅନ୍ତହେବ ସକଳ ଶୋଷଣ କଷଣର

ସର୍ବପ୍ରାଣେ ଖେଳିବ ଲହରୀ ପ୍ରଶାନ୍ତିର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract