ଚଉପଦୀ - ସେ ଯେଉଁ ରାମ
ଚଉପଦୀ - ସେ ଯେଉଁ ରାମ
କବି - ସାଲବେଗ
ସେ ଯେଉଁ ରାମ
ପରଂବ୍ରହ୍ମ ନାରାୟଣ ।
କହେ ହ୍ନୁମାନ ଶୁଣରେ ରାବଣ
ଯେହୁ ଦେଲା ତୋତେ ବର
ତୁ ଯାଇ ପଚାର ସେ ବିଷ୍ଣୁନାଥଙ୍କୁ
ସେ ନାମେ ଜପେ ଶଙ୍କର । ୧ ।
ଭାଇ ବିଭୀଷଣ ପଶିଲା ଶରଣ
ରାମ କଲେ ତାକୁ ଦୟା ।
ସେତୁବନ୍ଧ ବାନ୍ଧି ସିନ୍ଧୁ ପାରିହୋଇ
ଗଡ଼ କଲେ ସୁବଳୟା । ୨ ।
ତୁ ବୋଲୁ ମୁଁ ବଡ଼ ସିନ୍ଧୁ ମଧ୍ୟେ ଗଡ଼
କ୍ଷତ୍ରି ସମ ନାହିଁ ରଣେ ।
ଯେଉଁ ବାଳି ତୋତେ କାଖେ ଜାକିନେଲା
ସେ ମଲା ଶ୍ରୀରାମ ବାଣେ । ୩ ।
ସୀତା ସତୀ ନେଇ ରାମ ପାଶେ ଦେଇ
ପଶ ତୁ ବେଗେ ଶରଣ ।
ଶରଣ ପଶିଲେ ତୋତେ ନ ମାରିବେ
ଦୟାଳୁ ସେ ନାରାୟଣ । ୪ ।
ସୀତା ସତୀ ନେନ୍ତି ରାମ ପାଶେ ଦେନ୍ତି
ମୋଡ଼ନ୍ତି ତା ଦଶଶିର ।
ଲଙ୍କା ଉପାଡ଼ିଣ ସମୁଦ୍ରେ ପକାନ୍ତି
ଆଜ୍ଞା ନାହିଁ ରଘୁବର । ୫ ।
ଅବନୀର ଛଳେ ଦଶରଥସୁତ
ଜନମିଲେ ସୂର୍ଯ୍ୟବଂଶେ ।
କହେ ସାଲବେଗ ଜାତିରେ ଯବନ
ଶ୍ରୀରାମଚରଣେ ଦାସେ । ୬ ।
