ଚଉପଦୀ - ସାରିଣ ବାରି ବିହାର
ଚଉପଦୀ - ସାରିଣ ବାରି ବିହାର
କବି -ବନମାଳୀ ଦାସ
ଚନ୍ଦନ ବାହୁଡା
ସାରିଣ ବାରି ବିହାର
ବିଜେ ବ୍ରଜ ରାମା ହୃଦହାର ଯେ । ଘୋଷା ।
ବସି ମଣି ବିମାନର ।
ବାମେ ସିନ୍ଧୁସୁତା ଦକ୍ଷିଣେ ଧରଣୀ
-ଧର ପାଶରେ ଶଙ୍କର । ୧ ।
କଟୀତଟେ ପୀତାମ୍ବର ।
ଶିରେ ଯାମୁଡାଳି ମୟୂରଚନ୍ଦ୍ରିକା
ନାସେ ଗଜମୋତିବର । ୨ ।
ନାନାରତ୍ନେ ଅଳଙ୍କାର ।
କଣ୍ଠେ କଉସ୍ତୁଭ ମଣି ପୁଷ୍ପ ଚମ୍ପା
ଯାଇ ଯୁଇ ମଲ୍ଲୀହାର । ୩ ।
ମୋହନ ତ୍ରୈଲୋକ୍ୟସାର ।
ସୁର ନାଗ ନର ଗନ୍ଧର୍ବ କିନ୍ନର
ଖଟନ୍ତି ଚରଣେ ଯାର । ୪ ।
ଆଗେ ଦାସୀ ନୃତ୍ୟକାର ।
ଭକ୍ତଜନମାନେ ଧରିଣ ଅଛନ୍ତି
ଖଦି ଆଲଟ ଚାମର । ୫ ।
ସାରି ଚାରି ପଟୁଆର ।
କଉତୁକେ ଢଳି ଢଳିଣ ଆସନ୍ତି
ସଙ୍ଗେ ଘେନି ହଳଧର । ୬ ।
ପ୍ରତିହାରୀ ଯେ ସୁଆର ।
ମଣିମା ମଣିମା ଗୁହାରି ଶୁଣିମା
ଡାକ ପଡ଼ଇ ଅପାର । ୭ ।
ବିଜୟେ ସିଂହଦୁଆର ।
ବନମାଳୀ କର ଯୋଡ଼ି ଜଣାଉଛି
ଶରଣ ମୁଁ ନିରନ୍ତର । ୮ ।
