ଚଉପଦୀ - ନନ୍ଦସୁତ ବଡ଼ ଛଇଳା
ଚଉପଦୀ - ନନ୍ଦସୁତ ବଡ଼ ଛଇଳା
କବି - ଉପେନ୍ଦ୍ର ଭଞ୍ଜ
ପ୍ରିୟସହିରେ
ନନ୍ଦସୁତ ବଡ଼ ଛଇଳା । ପଦ ।
ଶୁଣ ଗୋ ସଙ୍ଗାତ
ଏ କି ବିପରୀତ
ନନ୍ଦସୁତ ବଡ଼ ଛଇଳା ।
ଯଶୋବନ୍ତ ନାରୀ
କି ମନେ ବିଚାରି
ଦିନେ ଆକଟି ନ କହିଲା । ୧ ।
ଦେବଶ୍ୱ ଅଇରି
ତାତ ଭ୍ରାତ ଧରି
ଭାନୁ ଜାନୁଯାନ୍ତେ ଦେଖିଲା ।
ଶିଖିନାଥମାତା
ବାହାନ ଠାଣିରେ
ଆଗେ ଉଭା ହୋଇ ରହିଲା । ୨ ।
ଚକ୍ରଧରାସୁତ
ଖସି ମୋ ଶ୍ରେଣୀରୁ
ମଥାରେ ପଡ଼ି ନାଶଗଲା ।
ଶହ ଦଶ ଯୋଗ
ଆରମ୍ଭ କରନ୍ତେ
ଏଗାର ମନେ ନ ସ୍ମରିଲା । ୩ ।
ମହୀ ଧରାଧର
ରିପୁଜାୟା ଭାବେ
ବିନୟରେ ମୋତେ କହିଲା ।
ନାହିଁ କରିବାରୁ
ବାଇ ପରି ହୋଇ
ପଣତ ଧରି ଓଟାରିଲା । ୪ ।
କଶ୍ୟପ କୁମର
ବଇରି ଭଣ୍ଡାରେ
ଇଙ୍ଗିତେ ଆସି ଚୁମ୍ବଦେଲା ।
ଶୁଣି ସେ ଭାରତୀ
ପ୍ରେମରୂପେ ମାତି
ଉପଇନ୍ଦ୍ର ଗୀତେ କହିଲା । ୫ ।
