STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଚନ୍ଦ୍ରଘଣ୍ଟା

ଚନ୍ଦ୍ରଘଣ୍ଟା

2 mins
362


ଜୟ ଜୟ ଚନ୍ଦ୍ରଘଣ୍ଟା ଗୋ ଶାନ୍ତିପ୍ରଦାୟିନୀ ମା

ପରମ କଲ୍ୟାଣକାରୀ ଗୋ ଭକ୍ତଜନଙ୍କ ସାହା ।

ନବରାତ୍ରୀର ତୃତୀୟ ଦିନେ ପୂଜା ତୁମରି 

ସୁଖ ଶାନ୍ତି ପାଇଁ ଭକତେ କରିଥାନ୍ତି ଗୁହାରୀ।

ମହାଦେବଙ୍କର ଶକତି ତୁମେ ଶକ୍ତିରୂପିଣୀ

ଦୟାମୟୀ ବିଶ୍ଵ ଜନନୀ ମାଗୋ ଦୁଃଖ ହାରିଣୀ।


ଶିବ ପୁରାଣ ଯେ ବଖାଣେ ଚନ୍ଦ୍ରଘଣ୍ଟାଙ୍କ କଥା

ତାଙ୍କ ଆବିର୍ଭାବ କାହାଣୀ ତାଙ୍କ ମହିମା ଗାଥା।

ସତୀରୁ ପାର୍ବତୀ ହୋଇ ମା ଘୋର ତପସ୍ୟା କଲେ

ଶିବଙ୍କ ହୃଦୟ ଜିଣି ମା କୈଳାସକୁ ଆସିଲେ।

ଶିବଙ୍କ ସାଥୀରେ ସଂସାର ନୂଆ ଆରମ୍ଭ କଲେ

ବଧୂ ବେଶେ ଶିବପୁରୀକୁ ନୂଆ ରୂପ ସେ ଦେଲେ ।


ଏ କାଳେ ତାରକାସୁର ଯେ ଅତ୍ୟାଚାରୀ ଅସୁର

ଶିବ ପୁତ୍ର ହସ୍ତେ ମରିବ ପାଇଥିଲା ସେ ବର।

ଶିବ ପାର୍ବତୀଙ୍କ ବିବାହ ତାକୁ କାଳ ହୋଇଲା

ଅକାଳେ ମରିବ ନିଶ୍ଚୟ ତା'ର ବେଳ ଆସିଲା ।

ଶିବ ପାର୍ବତୀଙ୍କ ସଂସାର କରିବାକୁ ସେ ଚୁନା

ରାତି ଦିନ ବସି କରିଲା ସେ ତ କେତେ ଯୋଜନା ।


ଭୋଳାନାଥ ଶିବ ଶଙ୍କର ସଦା ଧ୍ଯାନରେ ଭୋଳ

କୈଳାସ ପୁରୀରେ ପାର୍ବତୀ ସମ୍ଭାଳନ୍ତି ସଂସାର।

ଏହି ସୁଯୋଗରେ ତାରକା ମନ୍ଦ ବୁଦ୍ଧି କରିଲା

ଡରାଇବା ପାଇଁ ମାଆଙ୍କୁ ସେ ତ ଉପାୟ କଲା ।

ଜତୁକାଅସୁର ନାମରେ ଭୟଙ୍କର ବାଦୁଡ଼ି

ଆଦେଶିଲା ତାକୁ କୈଳାସେ କର ବିକଟ ରଡ଼ି।


ବାଦୁଡ଼ି ବାହିନୀ ଧରି ତା ସେହି ଜତୁକାସୁର

ତତକ୍ଷଣାତ୍ ପହଞ୍ଚିଲା ସେ ଯାଇ କୈଳାସପୁର

କିଳିକିଳା ନାଦେ ବାଦୁଡ଼ି ଦିଗ କମ୍ପାଇ ଦେଲେ

ପାର୍ବତୀ ଶୁଣି ସେ ଶବଦ ଭାରି ଛାନିଆ ହେଲେ

ଶିବ ଗଣ ସବୁ ଭାବିଲେ ପଡିଲା କି ବିପଦ

କାହିଁକି କରନ୍ତି ବାଦୁଡ଼ି ଏହି ଘୋର ଶବଦ?


ଏତେ ଯେ ବାଦୁଡ଼ି ଆକାଶେ ସତେ ବୁଲିଲେ ଉଡ଼ି

ଲାଗିଲା ଆସିଲା ରଜନୀ ସୂର୍ଯ୍ୟ ଗଲେ କି ବୁଡ଼ି ।

ବିକଟାଳ ଶବ୍ଦ ସହିତ ସେହି ବାଦୁଡ଼ି ଦଳ

ଶିବଗଣଙ୍କୁ ତ କରିଲେ ଭାରି ସେ କଲବଲ ।

ପାର୍ବତୀ ଏକଲା କି ଅବା ତହିଁ କରିବେ ସେ ତ

ଶିବ କରୁଛନ୍ତି ତପସ୍ୟା କିଏ ଭାଙ୍ଗିବ ତପ ।


ଜତୁକାସୁରର ଉତ୍ପାତ ଯେବେ ଗଲାରେ ବଢ଼ି

ପାର୍ବତୀଙ୍କ କୋପ ମଥାକୁ ତାଙ୍କ ଗଲାରେ ଚଢି।

ଶକତିରୂପିଣୀ ଶକ୍ତି କୁ ତାଙ୍କ ପ୍ରକଟ କଲେ

ଲଢ଼ିବାକୁ ଦୈତ୍ୟ ସାଥୀରେ ମାଆ ପ୍ରସ୍ତୁତ ହେଲେ।

ଘୋଟି ଯାଇଥିଲା ଅନ୍ଧାର କେହି ଦିଶୁ ନଥିଲେ

ଆଲୋକ ପାଇଁକି ମାଆ ଯେ ତହୁଁ ବାଟ ଖୋଜିଲେ।


ଚନ୍ଦ୍ରଙ୍କୁ ସ୍ମରି ମା କହିଲେ ଦିଅ ଆଲୁଅ ଢାଳି

ଅମା ଅନ୍ଧକାର ଯାଉ ହେ କୈଳାସରୁ ଯେ ଟଳି।

ଚନ୍ଦ୍ର ବିଜେ କଲେ ମାଆଙ୍କ ଆସି କପାଳ ଦେଶେ

ଜହ୍ନ ଆଲୁଅରେ ତମସା ହଟିଗଲା କୈଳାସେ।

କାହିଁ ଥିଲେ ସିଂହ ଶାବକ ଆସି ପହଁଚିଗଲେ

ମାଆଙ୍କୁ ସେମାନେ ମିଶି ତ ସବୁ ସାହାସ ଦେଲେ।


ଘଣ୍ଟଟିଏ ଧରି ପାର୍ବତୀ ଘୋର ଶବଦ କଲେ

ଡରି ମରି ବହୁ ବାଦୁଡ଼ି ସେ ତ ଦୂରେ ଚଳିଲେ।

ଜତୁକାସୁରର ସାଥୀରେ ସିଂହ ଶାବକ ମିଶି

କରିଲେ ଏମିତି ଲଢେଇ ସେ ତ ପଡ଼ିଲା ଖସି।

ଘଣ୍ଟାରେ ମାଆ ତା' ମଥାକୁ ଦେଲେ ଶକ୍ତ ପ୍ରହାର

ସେଇଥିରେ ଉଡିଗଲା ଯେ ସେ ତ ଜୀବନ ତାର।


ଜତୁକାସୁରର ନିଧନେ ଶାନ୍ତି ଫେରି ଆସିଲା

କୈଳାସ ପୁରୀ ତ ତକ୍ଷଣେ ଆହା ହସି ଉଠିଲା।

ମାଆଙ୍କ ମଥାରେ ଚନ୍ଦ୍ର ଯେ ହାତେ ଶୋଭିତ ଘଣ୍ଟା

ସେ ଦିନୁ ପାର୍ବତୀ ହୋଇଲେ ଖ୍ୟାତ ମା ଚନ୍ଦ୍ରଘଣ୍ଟା।

ମାଆଙ୍କୁ ଭକ୍ତିରେ ପୂଜିଲେ ହୁଏ ବିପଦ ଦୂର

ଅସଜଡ଼ା ପ୍ରାଣେ ଉଛୁଳେ ନିତି ହସ ଜୁଆର।


ଦଶଭୁଜା ଚନ୍ଦ୍ରଘଣ୍ଟା ମା ଅସ୍ତ୍ରଶସ୍ତ୍ରେ ସଜ୍ଜିତା

ନବରାତ୍ରୀର ତ ତୃତୀୟ ଦିନେ ମାଆ ପୂଜିତା।

ଅଭୟ ବରଦା ଦେବୀ ଗୋ ଦେବୀ ସିଂହ ବାହିନୀ

ମଙ୍ଗଳମୟୀ ମା ଭବାନୀ ଭବ ଭୟ ହାରିଣୀ।

ସ୍ବର୍ଣ୍ଣାଭ ଆଭା ଯେ ଦେହରୁ ହେଉଥାଏ ପ୍ରକଟ

ଦେବୀଙ୍କୁ କରିଲେ ଦର୍ଶନ ଦୂର ହୁଅଇ କଷ୍ଟ।


ଜୟ ଜୟ ଚନ୍ଦ୍ରଘଣ୍ଟା ଗୋ ଜୟ କରୁଣାମୟୀ 

ତୁମରି ଦୟାରେ ଯାଏ ମା ସବୁ ଦୁଃଖ ଦୂରେଇ।

ଦୟା ରଖିଥିବ ମାଆ ଗୋ ତୁମେ ସବୁରି ପରେ

ହସ ଭରି ଦେବ ମାଆ ଗୋ ତୁମେ ସବୁ ଓଠରେ।

ତୁମ ପାଦତଳେ ମାଆ ଗୋ ଆମ ଶତ ପ୍ରଣତୀ

ତୁମ ଆଶିଷରେ ହସୁ ମା ଏଇ ସୁନ୍ଦର ସୃଷ୍ଟି।




















Rate this content
Log in

Similar oriya poem from Classics