ଚଳନ୍ତା ଗଛ
ଚଳନ୍ତା ଗଛ
ସେ ଗୋଟେ ଚଳନ୍ତା ଗଛ
ଏଇଟା ହିଁ ବ୍ୟତିକ୍ରମ
ସେ ଅନ୍ୟ ଗଛଠୁ ସମ୍ପୂର୍ଣ୍ଣ ଅଲଗା ।
ସେ ଚାଲି ପାରେ ସ୍ୱଇଚ୍ଛାରେ
ପାଇବାକୁ ଯାହା ସେ ଚାହେଁ
ମିଠା ଜଳ, ଖୋଲା ଆକାଶ
ଅବାଧ ସୂର୍ଯ୍ୟ କିରଣ ।
ତାତି ଖରାରୁ, ଝଡ଼ି ବର୍ଷାରୁ
ସୁରକ୍ଷା ପାଇଁ
ସେ ଖୋଜି ନିଏ
ନିରାପଦ ସ୍ଥାନ ।
ସକାଳେ ସନ୍ଧ୍ଯାରେ
ସେ ବୁଲି ଦେଖେ
ବାକି ଗଛ ସଭିଙ୍କୁ
ତାଙ୍କ ଚାଲି ନ ପାରିବାର
ଅଭିଶପ୍ତ ଜୀବନକୁ
ଦୁଃଖ କରେ ଆଉ ଛାତି ଫୁଲାଏ
ନିଜ ଭାଗ୍ୟକୁ ନେଇ ।
ଯେତେ ଦୂର ଇଚ୍ଛା
ସେ ଚାଲି ଯାଇପାରେ
ଘରକୁ ଫେରିବାର
ବାଟ ଜାଣି ଥାଏ ବୋଲି ।
ଘରଟିଏ ଥାଏ ବୋଲି
ଏଣେତେଣେ ଘୂରି ବୁଲିବାକୁ
ଅର୍ଥଟିଏ ଦେଇହୁଏ
ଛାତ ଖଣ୍ଡେ ନଥିଲେ
କି ଫେରି ଆସିବାର ନଥିଲେ
ଘୂରି ବୁଲିବାଟା କ'ଣ
ରୋମାଞ୍ଚକର ହୋଇଥାନ୍ତା
