ଚକ୍ରବାକ ଚକ୍ରାବାକି
ଚକ୍ରବାକ ଚକ୍ରାବାକି
ଗର୍ବିତ ଥିଲେ ଯେବେ ପ୍ରେମର ଶିଖରେ,
ଉଚ୍ଚାରିଲେ "ଅଭେଦ୍ୟ ଆମ ବନ୍ଧନ"।
ଶ୍ରୁତ ହୋଇ ରୁଷ୍ଟ ହେଲେ ବିଧିଲେଖକ,
ଆଜ୍ଞା ଦେଲେ "ନିଶୀଥେ ରହ ବିଚ୍ଛେଦନ"।।
ସେହି କ୍ଷଣରୁ ଶାପଗ୍ରସ୍ତ ଏ ଜୀବନ,
ଦିବସେ ସାନ୍ନିଧ୍ୟ ନିଶାୟେ ବ୍ୟବଧାନ।
ଚକ୍ରବାକ କରେ ଆର୍ତ ଆହ୍ୱାନ,
ଚକ୍ରବାକୀ ଝରାଏ ଅଶ୍ରୁର ବନ୍ୟାନ।।
ମଧ୍ୟରେ ଛିଡା ଅଦୃଶ୍ୟ ଅଭିଶାପର ପ୍ରାକାର,
ସ୍ପର୍ଶ ଅସମ୍ଭବ, କେବଳ କ୍ରନ୍ଦନ ସାର।
ଉଷାର ପ୍ରଥମ କିରଣେ ଶାପ ହୁଏ ଶିଥିଳ,
ପୁନଃ ମିଳନ ଘଟେ ଅଶ୍ରୁସିକ୍ତ ନୟନେ।।
କିନ୍ତୁ ରଜନୀ ଆଗମନେ ସ୍ମରଣ ହୁଏ,
"ଆମେ ଶାପିତ, ଶାପିତ ଆମ ପ୍ରଣୟ"।
ତେଣୁ ଆଜି ନିଶୀଥେ ଜଳାଶୟ ତଟେ,
ପ୍ରତିଧ୍ୱନିତ ହୁଏ କେବଳ ବିଳାପ ଗୀତେ।।
ଏ ଶାପ ନୁହେଁ, ଏ ପ୍ରେମର ଅଗ୍ନିପରୀକ୍ଷା,
ଯେଉଁଠି ପ୍ରତି ପ୍ରଭାତେ ମିଳେ ମିଳନର ବରଦାନ।
ତ କେଉଁଠି ବିରହେ ଦଗ୍ଧ, ମିଳନେ ପରିପୂର୍ଣ୍ଣ,
ଏଇଆ ହେଉଛି ଶାପିତ ଚକ୍ରବାକର ଆଖ୍ୟାନ।।
Priyanka Panda
