ବିରହ ରାଗ
ବିରହ ରାଗ
ଶେଫାଳି ଝରୁଥିବା ଶରତ ନିଶୀଥ,
ଜଳପୃଷ୍ଠେ ପତିତ ଶୀତଳ ଜ୍ୟୋତ୍ସ୍ନା।
ଏପାଖେ ଦେହ, ସେପାଖେ ପ୍ରାଣ,
ମଧ୍ୟରେ କେବଳ ଅଶ୍ରୁସିକ୍ତ ଯାତନା।।
କରୁଣ ଆହ୍ୱାନେ ବିଦୀର୍ଣ୍ଣ ହୁଏ ହୃଦୟ,
ଉତ୍ତର ମିଳେ କେବଳ ପ୍ରତିଧ୍ୱନି ରୂପେ।
ସ୍ପର୍ଶ ଦୁରୂହ ଅଦୃଶ୍ୟ ବ୍ୟବଧାନେ,
ପାଖେ ଥାଇ ବି ରହେ ଯେ ସୁଦୂରେ।।
ଏ କି ଅଦ୍ଭୁତ ବିଧାତାର ଲିଖନ,
ସାନ୍ନିଧ୍ୟେ ଥାଇ ବି ନିରନ୍ତର ବିରହ।
ପ୍ରଭାତ କିରଣେ ଯେବେ ଘଟେ ମିଳନ,
ସପ୍ତଜନ୍ମର ତୃଷ୍ଣା ହୁଏ ନିର୍ବାପନ।।
ପ୍ରେମ ଏମିତି - ବିରହେ ଦଗ୍ଧ,
ଆତ୍ମା ର ମିଳନେ ହୁଏ ପରିପୂର୍ଣ୍ଣ।
ନାମ ଅଜ୍ଞାତ ଥାଇ ବି କରୁ ଆରାଧନା,
ମୁଖ ଅଦର୍ଶନେ ବି ଖୋଜେ ନୟନର ତାରା।।
ଚକ୍ରବାକୀ ସମ ତୀରଦେଶେ ଏକାକୀ,
ପ୍ରତୀକ୍ଷାରେ କାଳାତୀତ କରୁଅଛି ଯାପନ।
କେବେ ଆସି ନିର୍ବାପିତ କରିବ ଏ ଜ୍ୱାଳା?
ତାରାରାଜି ସାକ୍ଷୀ ହୋଇ କାନ୍ଦେ ନିଶୀମାନ।।
ପ୍ରଥମ କିରଣେ ପୁଣି ମିଳନର ସ୍ରୋତ,
ମାନବ ଜୀବନେ ବି ଏମିତି ଆଖ୍ୟାନ।
କେତେ ପ୍ରେମ ବାଧ୍ୟ ହୋଇ ରହେ ଦୂରେ,
ତଥାପି ବଞ୍ଚେ ଆଶାର ଗୀତ ଗାନେ।।
Priyanka Panda
