STORYMIRROR

Papu parida

Classics Others

4  

Papu parida

Classics Others

ଚିଠି ମୋର ପଢିବ ହେ କଳାଠାକୁର

ଚିଠି ମୋର ପଢିବ ହେ କଳାଠାକୁର

1 min
183

(ଏକ ଭକ୍ତ ଓ ଭଗବାନ ମଧ୍ୟରେ ଭାବପୂର୍ଣ୍ଣ ଆଳାପ ଉପରେ ଏକ କବିତା ଯଦି ଭଲ ଲାଗେ ତେବେ ନିଶ୍ଚୟ ଏକ ମତାମତ ଦେବେ। )


ମନ୍ଦିର ମଧ୍ୟରେ ଶ୍ରେଷ୍ଠ ଶ୍ରୀମନ୍ଦିର

ଠାକୁର ମଧ୍ୟରେ ତୁମେ

କଳା ମୁଖେ ତୁମ ମାୟାମୟ ହସ

ଦେଖି ଦୁଃଖଜ୍ୱାଳା କମେ।


ରତ୍ନ ସିଂହାସନେ ବିରାଜିତ ହୋଇ

ଭିଡ଼ ଜଗତର ଡୋର

ବହୁ ଅଭିଳାଷେ ଲେଖିଛି ଚିଠି ମୁଁ 

ପଢିବ କଳା ଠାକୁର।


ଭକ୍ତଟିଏ ତୁମ ଲେଖୁଅଛି ଚିଠି

ଭାବିବନି ମତେ ପର।

ଚିଠି ମୋର ପଢିବ ହେ କଳା ଠାକୁର।


ପୂଜା ପଣ୍ଡା ତୁମ ସେବାରେ ନିମଗ୍ନ

ଛପନ ପ୍ରକାର ଭୋଗ

ଦେଇ ନ ପାରିବି ଏତେ ସେବାଯତ୍ନ

କରିବନି ତୁମେ ରାଗ।


ସାଲବେଗ ଲାଗି ଅଟକିଲ ତୁମେ

ନେଲ ଦାସିଆ ନଡିଆ

ଚିଠିକୁ ମୋହର କରିଲେ ଗ୍ରହଣ

ଲାଗିବ ମତେ ବଢ଼ିଆ।


ଭକ୍ତଟିଏ ତୁମ ଲେଖୁଅଛି ଚିଠି

ଭାବିବନି ମତେ ପର।

ଚିଠି ମୋର ପଢିବ ହେ କଳା ଠାକୁର।


ଚାଳଛପରର ଘରଟି ମୋହର

କଞ୍ଚା ମାଟି ପକା ତଳ

ସେଥିଲାଗି ପରା ଡାକେନି ତୁମକୁ

ବେଶ ହୋଇବ ଆବିଳ।


ମାଗୁନାହିଁ ମୁହିଁ ଧନ ଦଉଲତ

ମାଗୁନାହିଁ ଗାଡି ଘୋଡା

ଲାଗେଇବ ଡୋରି ତୁମ ରାଇଜକୁ

ଏତିକି ହିଁ ମତେ ଲୋଡ଼ା।


ଭକ୍ତଟିଏ ତୁମ ଲେଖୁଅଛି ଚିଠି

ଭାବିବନି ମତେ ପର।

ଚିଠି ମୋର ପଢିବ ହେ କଳା ଠାକୁର।


ରଥ ଦଉଡିକୁ ଟାଣିବାକୁ ଦେବ

ଦେଖିବାକୁ ସୁନାବେଶ

ଛୁଇଁବାକୁ ଦେବ ଅରୁଣ ସ୍ତମ୍ବକୁ

ମେଣ୍ଟିବ ମନର ଶୋଷ।


ଅଭଡ଼ା ଟିକିଏ ଦେବ ଖାଇବାକୁ

ଦେଖିବାକୁ ରତ୍ନ ବେଦି

ଆଶା ମୋର ସବୁ ଆଶାରେ ରହିବ

ପ୍ରାଣ ଚାଲିଯିବ ଯଦି।


ଭକ୍ତଟିଏ ତୁମ ଲେଖୁଅଛି ଚିଠି

ଭାବିବନି ମତେ ପର

ଚିଠି ମୋର ପଢିବ ହେ କଳା ଠାକୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics