STORYMIRROR

Koushik Lenka

Romance

4  

Koushik Lenka

Romance

ଚିଠି ଚିଠି

ଚିଠି ଚିଠି

1 min
196

ପ୍ରେରକର ପରିଚୟ ନେଇ

ପ୍ରାପକକୁ ପ୍ରେମ କରି

କଲମରେ କାଳି ଭରି

ବାପାଙ୍କ ଉଚ୍ଚା ସେ ଆଲମିରାରୁ

ହଳଦିଆ କାଗଜ ଖଣ୍ଡେ

ଚୋରେଇ ଆଣିଥିଲି....।।


ମଗୁଶୁରର ଝୋଟିଚିତାଠୁ ନେଇ 

ବୈଶାଖର ଝାଞ୍ଜି

ତା' ଭିତରେ ଶରତର ନ‌ଈପଠାରେ

କାଶତଣ୍ଡୀ ତୋଳୁଥିବା

ମୋ ପ୍ରିୟା ପାଇଁ; କ'ଣ ବା ଲେଖିବି

ଏଇ ଏବେ ଏବେ ତ ତା'କୁ

ପଢ଼ିବା ଆରମ୍ଭ କରିଛି....।।


ଏମିତି ହୁଅନ୍ତାନି

ସେ 'କ' ସ୍ତମ୍ଭ

ମୁଁ 'ଖ' ସ୍ତମ୍ଭ

ତା ପସନ୍ଦରେ ମୋ ପସନ୍ଦ

ସବୁକୁ ଗାର ଟାଣି ଯୋଡ଼ି ଦିଅନ୍ତି

ହେଲେ ଏଡ଼ିକି ଛୋଟ ଫର୍ଦ୍ଦରେ

କ'ଣ ଏତେସବୁ କରିହେବ

ଯା' ଏଯାଏଁ ତା'କୁ

"ପ୍ରିୟ" ବୋଲି ଲେଖିନି ଯେ;....।।


ତା' କେଶରେ ଆମ୍ବ ବ‌ଉଳର ବାସ୍ନା

ବ‌ଉଳ ଗଛର ଛାଇ ପରି

ତା' ଓଢ଼ଣୀର ଶୀତଳତା

ଚାଲିରେ ବାଲୁଖଣ୍ଡ ହରିଣୀର କ୍ଷୀପ୍ରତା

ଚିଲିକାର ନିଳୀମାକୁ

ଚିପୁଡ଼ି ଭରି ଦେଇଛି ଆଖିରେ

ଆଉ ଏତେ ସବୁକୁ ସାଉଁଟି

ଚିଠି ମୋର ଟିକି ଚଢ଼େଇ କରି

ଫୁର୍ କିନା ଉଡ଼େଇ ପାରିଲେ ସିନା....।।


ଆଃ! କି କଷ୍ଟ

ରାଇଗାଆଁରୁ ନୂଆ ବାବୁ ଜଣକ

ଆସିଲେନି ଯେ

କାଠ ମୋହରଟାକୁ ମୋ ଛାତିରେ

ବାଡ଼େଇ ବାଡ଼େଇ

ନିଇତି ଦରମଲା କରି ଦ‌ଉଛନ୍ତି...।।


ଭଲ ହେଇଛି

ସତରେ ଭାରି ଭଲ ହେଇଛି

ସେ ପଥୁରିଆ ସାହିର ପିଲାଟାର ଚିଠି

ଏ ବାବୁଙ୍କ ହାବୁଡ଼ରେ ପଡ଼ିନାହିଁ

ନହେଲେ କେତେ ଯେ କଷ୍ଟ ଓଃ....।।


ଏମିତିରେ ସିଏ ବି କିଛି

କମ୍ କଷ୍ଟ ସହିନି

ଆଉ ଶେଷକୁ ବେଜାତିଆ

ଝୁଅଟାକୁ ପ୍ରେମ ପତର ଲେଖିବାରୁ

ତା ବାପା ମୋତେ ଚିରି ଟିକିଟିକି କରିଦେଲା

ଆଉ ପରୋକ୍ଷରେ ପୁଅଟା

ଆଖି ବନ୍ଦ କରି ଝୁଲି ପଡ଼ିଲା....।।


ହାଏ! ଚିଠି ଲେଖି ପାପ

କରିଦେଲାନି ତ...

ନାଁ ନାଁ ପ୍ରେମିକ ହବା ଭାରି ସହଜ

ହେଲେ ପ୍ରେମ କରିବା?

ଟୋପା ଟୋପା କାକର ଭିଜା

ଶବ୍ଦ ସବୁକୁ ନେଇ ଚିଠି ଲେଖିଦେବା

ଖୁବ୍ ସରଳ ହେଲେ ମୁଣାରୁ

ଖୋଲିଲା ପରେ ବେଧଡ଼କ

ବ୍ୟସ୍ତ ନିରବତାର କୁଆଁ କୁଆଁ ଡାକ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance