ଚିତ୍ରକର
ଚିତ୍ରକର
ମୋ' ହୃଦୟ କାନଭାସରେ ଆଙ୍କିଥିବା ତୁମ ଛବି
ଏବେ କାହିଁକି କେଜାଣି ମଳିନ ଦିଶୁଛି
ହୁଏତ ତୁମେ ଦେଇଥିବା ପ୍ରତାରଣାର ପରିଣାମ
ଅବା ସମ୍ପର୍କରେ ଉଠିଥିବା ଧୂଳିଝଡ଼ ଯୋଗୁଁ,
ପରସ୍ତ ପରସ୍ତ ଧୂଳି ଜମା ହୋଇଯାଇଛି ତା'ଦେହେ ||
ଅନେକ ଥର ଚେଷ୍ଟା କରିଛି ତାକୁ ସଫା କରିବାକୁ
ମୋ' ଆଖିର ଲୁହବି ତାକୁ ଧୋଇଧାଇ,
ସଫା କରିବାକୁ ଅନେକ ଚେଷ୍ଟା କରିଛି
ହେଲେ ସବୁବେଳେ ମୁଁ' ହୋଇଛି ଅସଫଳ ||
ଏବେ ଆଉ ତା' କାମ ନୁହେଁ
ପୁଣି ଏକ ନୂଆ ଛବି ଆଙ୍କିବାକୁ ହେବ
ତୁମେ ସିନା ଚାଲିଗଲ, ହେଲେ ମତେତ,
ନିଜର ସେ' ସ୍ମୃତି ସାଇତିବାକୁ ହେବ ||
କିନ୍ତୁ କାହିଁକି କେଜାଣି ଆଉ ଏଇ ହାତ
ରଙ୍ଗତୁଳୀ ଧରିପାରୁନି
ଏ' ଦେହରେ ବହୁଥିବା ରକ୍ତବି ରାଜିନୁହେଁ,
ଭରିବାକୁ ରଙ୍ଗ ସେ' ଛବିରେ
ତୁମ ପ୍ରତାରଣା ଆଘାତକୁ ସହିନପାରି,
ଛତ୍ରଭଙ୍ଗ ଦେଇଛନ୍ତି ପିକାସୋ, ଡା ଭିନସି
ଯେଉଁମାନେ ଟଙ୍ଗାହୋଇଥିଲେ ମୋ କାନ୍ଥରେ ||
ତୁମେ ଚାଲିଗଲ ଆଉ ସାଥିରେ ନେଇଗଲ
ମୋର ସେଇ ଅମୂଲ୍ୟ ସମ୍ପଦ
ହଁ' ଆଜି ମୁହିଁ ହରାଇଛି ସବୁକିଛି,
ମରିଯାଇଛି ମୋ' ଭିତରେ ଥିବା ଚିତ୍ରକର ||

