ଚିତ୍ର ଚରିତ - 62 କବିତା : ଫୁଟିବ ମହତ ଗୁଣ
ଚିତ୍ର ଚରିତ - 62 କବିତା : ଫୁଟିବ ମହତ ଗୁଣ
ସବୁ ମଣିଷର ଅଛି ହାତ-ଗୋଡ଼ ଆଖି-କାନ ପାଟି-ନାକ,
ସବୁ ଶରୀରରେ ରହିଛି ହୃଦୟ ରହିଛି ମନ-ବିବେକ |
ସବୁ ମଣିଷକୁ ସମାନ ସମୟ ପରିବେଶ ଜଳବାୟୁ ,
ସବୁ ମଣିଷର ସମାନ ନଥାଏ ମନ-ସୁସ୍ଥ-ଦେହ ଆୟୁ |
ସବୁ ମଣିଷର ସ୍ସୁଖ-ଦୁଃଖ ଅଛି ଅଛନ୍ତି ଜନନୀ ପିତା,
ସବୁରି ଭିତରୁ କେହି ଜଣେ ପୁଣି ହେଉଛି ଜଗତଜିତା |
ସବୁ ଅଙ୍ଗଥାଇ କେ ହୁଏ ବେକାର କିଏ ପାଏନାହିଁ ଅନ୍ନ,
ସବୁଦେଖି କିଏ ହେଉଛି ଅଦେଖା ଶୁଣେନାହିଁ ଥାଇକାନ |
ସବୁ ମଣିଷର ଆଙ୍ଗୁଠିର ଛାପ ଯେପରି ହେଉଛି ଭିନ୍ନ,
ସବୁ ସୁଖପାଇଁ କିଛି ମଣିଷର ମନ ହେଉଛି ଉଚ୍ଛନ୍ନ |
ସବୁଦିନ ଆମେ ଦେଖୁଛୁ ଦୁନିଆ କେତେଭଲ କେତେମନ୍ଦ,
ସବୁଜାଣି ଆମେ ଶିଖୁନାହୁଁ କିଛି କରୁଛୁ କପଟ ଛନ୍ଦ |
ସବୁବେଳେ ଯଦି ହୋଇବ ପ୍ରତ୍ୟକ୍ଷବାଦୀ ଆମ ଦୃଷ୍ଟିକୋଣ,
ସବୁରି କାମରେ ସକଳ କ୍ଷେତ୍ରରେ ଫୁଟିବ ମହତ ପଣ |
