ଚଇତାଳି
ଚଇତାଳି
ଚଇତର ଚଇତାଳି, ଯେ
ଫୁଲ ଫୁଟେ ଭଳି ଭଳି,
ଘୋଡ଼ା ନାଚ ଗୀତ, ବାଦ୍ୟ ତାଳେ ମିତ,
ଗାଆଁ ପଡୁଛି ଉଛୁଳି, ଯେ ।।
ସରସୀ ଜଳେ ଉତ୍ପଳେ, ଯେ
ଭ୍ରମର ଭ୍ରମରେ ଖେଳେ,
ଫୁଲରୁ ଫୁଲକୁ, ଉଡି ଶୋଷେ ମଧୁ,
ପରାଗ ସଂଗମ ଛଳେ, ଯେ ।।
ଚଇତରେ ଝାମୁଯାତ, ଯେ
ଶମ୍ଭୁ ଆରାଧନା ବ୍ରତ,
ମଙ୍ଗଳ ବାର ରେ, ମଙ୍ଗଳା ଓଷାରେ,
ଛେନାପଣାର ନୈବେଦ୍ୟ, ଯେ ।।
ଭଗବତୀ ମା’ବାସନ୍ତୀ, ଯେ
ଆବାହନ କରେ ଧାତ୍ରୀ,
କୋଇଲି ପଞ୍ଚମ, ସୁର ସଂଗୀତରେ,
ନୃତ୍ୟ କରଇ ପ୍ରକୃତି, ଯେ ।।
ପଳାଶ ଅବିର ରଙ୍ଗ,ଯେ
“ଦଳ” ଦିଶଇ ସୁରଙ୍ଗ,
ସୁନାରୀ ଫୁଲରେ, ସ୍ଵର୍ଣ୍ଣ ରଙ୍ଗ ଝରେ,
ଖେଳେ ହଳଦୀ ବସନ୍ତ, ଯେ ।।
ରଙ୍ଗ ଶାଳ୍ମଳୀ ଫୁଲର ,ଯେ
ନାଲି ଶାଢ଼ୀ ପରକାର,
ଦିଶେ ବନ ପଥ, ସତେକି ବସନ୍ତ,
ଚଇତାଳି ଚିତ୍ତ ଚୋର, ଯେ ।।
ଚମ୍ପା,ନାଗେଶ୍ଵର, ମଲ୍ଲୀ, ଯେ
ଦିଅନ୍ତି ପସରା ମେଲି,
ଦେଖାଯାଏ ଧରା ସତେ ଅବା ପରା
ନନ୍ଦନ କାନନ ଭଳି;ଯେ ।।
ମହକି ଯାଉଛି ଧରା,ଯେ
ମଧୁ ସଉରଭ ଭରା,
ନିମ ଫୁଲେ ଫୁଲେ ମଧୁମକ୍ଷୀ ବୁଲେ
କସି ଆମ୍ଵ ପେନ୍ଥା ଝରା ଯେ ।।
ଅଶୋକ କୁସୁମ ବାସ, ଯେ
ଚହଟଇ ଚଉପାଶ,
ରୁକୁଣା ରଥ ରେ ଅଶୋକାଷ୍ଟମୀ ରେ
ବିଜେ ହେଲେ କୃତିବାସ;ଯେ ।।
ଅପରୂପ ରଙ୍ଗ ରାଗେ,ଯେ
ମଞ୍ଜୁଳ ପଲ୍ଲବ ରଙ୍ଗେ,
ବନାନୀ ଶୃଙ୍ଗାର ଛବି ମନୋହର
ବସନ୍ତ ବର୍ଣ୍ଣାଳି ସଙ୍ଗେ ।।
ମହୁଲ ଫୁଲ ସୁବାସ, ଯେ
ମଧୁର ତହାର ରସ,
ଝୁମେ ବନଭୁଇଁ ତା’ସୌରଭ ପାଇ
ଜୀବ ଜଗତ ବିବଶ; ଯେ ।।
ଅଗ୍ନି ସ୍ଵରୂପା ହିଙ୍ଗୁଳା, ଯେ
ଧ୍ୟାନ ଆରାଧନା ପୁଜା,
ଅଗ୍ନି ଉତ୍ପାତ ରୁ ତାଙ୍କରି ଦୟାରୁ
ଆଶ୍ବସ୍ତ ହୁଏ ଅଚଳା;ଯେ ।।
ରାମ ନବମୀ ରେ ରାମ, ଯେ
ଜନ୍ମ ମରୁତ ନନ୍ଦନ
ବିଷୁବ ସଂକ୍ରାନ୍ତି, ବିଦାୟ ବସନ୍ତ,
ପାଦ ଥାପିଲାଣି ଗ୍ରୀଷ୍ମ, ଯେ ।।
ଫୁଲେଇ ଫଗୁଣ ପରେ, ଯେ
ଚଇତି ପବନ ସୁରେ,
ବିଦାୟ ଲଗନ, ବସନ୍ତ ମଗନ,
ପଣା ପିଇ ବିଷୁବରେ, ଯେ ।।
ବସନ୍ତ ଫଗୁଣ,ଚୈତ୍ର, ଯେ
ମଧୁ ମାସ ମଧୁ ଗୀତ,
ରତି ରଙ୍ଗ ବୋଳା, ଚଇତି ଉତଳା,
କରୁଛି ସାରା ଜଗତ, ଯେ ।।
ଚଇତି ବସନ୍ତ ଶୋଭା,ଯେ
ଆହା କେଡେ ମନଲୋଭା,
ପ୍ରେମ ରଙ୍ଗ ଦେଇ ପ୍ରଫୁଲ୍ଲ କହଇ
(ଏବେ) ବସନ୍ତ ନେଉଛି ବିଦା, ଯେ ।।