STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ଚିର ନମସ୍ୟ

ଚିର ନମସ୍ୟ

1 min
13.6K


ଗୋଟିଏ ଗର୍ଭରୁ ଜାତ ନୁହେଁ ତୁମେ

କୋଟିଏ ଗର୍ଭରୁ ଜାତ

ମୁକୁଟ ବିହୀନ ସମ୍ରାଟ ତ ତୁମେ

ଏ ଜାତିର ଯୋଗ୍ୟ ସୁତ ।।

ସମୀର ଗାଉଛି ତୁମ ଜୈତ୍ର ଗୀତି

ଅମ୍ବରରେ ତୁମ ସ୍ବର

ସାଗରରେ ଫୁଟେ ତୁମ ପ୍ରତିବିମ୍ବ

ଭୀଷ୍ମ ପିତା ଏ ମାଟିର ।।

କୋଳାହଳ ମଧ୍ୟେ ତୁମ ନୀରବତା

ଅଶ୍ରୁସିକ୍ତ ନେତ୍ର ଦ୍ଵୟ

ତୁମ ପାଦ ଚିହ୍ନ ଦେଖେ ମୁଁ ସବୁଠି

ଆକୁମାରୀ ହିମାଳୟ ।।

ହେ ରାଷ୍ଟ୍ର ନାୟକ ଭାରତର ରତ୍ନ

ଦୀପଶିଖା ତମିସ୍ରାର

ନିଥର ନିଷ୍ପ୍ରଭ ନିଃସଙ୍ଗତା ପଥେ

ଗୁଞ୍ଜନର କାରିଗର ।।

ହେ କାବ୍ୟ ନାୟକ ଶବ୍ଦ ଯାଦୁକର

ଲେଖନୀ ଅସ୍ତ୍ର ତୁମର

କବିତା ତୁମର ଜୀବନର ଗୀତି

ଝରେ ଅମୃତ ର ଧାର ।।

ତୁମେ "ବାଜପେୟୀ ଅଟଳ "ଅଚଳ

ସୃଜନର ରୂପକାର

ତୁମେ ଜ୍ୟୋତିର୍ମୟ ଜ୍ୟୋତିର ସମ୍ଭାର

ଏ ଜାତିର ପ୍ରାଣଧାର ।।

ତୁମେ ପ୍ରଜ୍ଞା ବନ୍ତ ବିକାଶ ପୁରୁଷ

ବୀରତ୍ଵର ନିଦର୍ଶକ

ଦେଖାଇଛ କେତେ ନୂତନ ଦିଗନ୍ତ

ସାଜି ପଥ ପ୍ରଦର୍ଶକ ।।

ଝୁରୁଛି ଏ ମାଟି ଏ ପାଣି ପବନ

ଝୁରେ ଗଛ ଲତା ଜୀବ

ତୁମ ଆବର୍ତ୍ତମାନ କରେ ଶୂନ୍ୟ ସ୍ଥାନ

ଲାଗେ ପଙ୍ଗୁ ଓ ଅଥର୍ବ।।

ଶୌର୍ଯ୍ୟ ବୀର୍ଯ୍ୟ ତୁମେ ଜାତିର ଜ୍ୟେତିଷ୍କ

ପୂର୍ଣ୍ଣତାର ପୂର୍ଣ୍ଣାଭାସ

ଶୂନ୍ୟ ଗର୍ଭା ଧରା ହାତ ଠାରି ଡାକେ

ଫେରି ଆସ ଫେରି ଆସ ।।

ହେ ଚିର ନମସ୍ୟ ହେ ଚିର ଭାସ୍କର

ଦୀପ୍ତିମନ୍ତ ଜାତିସ୍ମର

ଅସ୍ତମିତ ରବି ଦୂର ଚକ୍ରବାଳେ

ଘେନ କୋଟି ନମସ୍କାର ।।

ଶରତ କୁମାର ଦାସ

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ

ବଡବିଲ ମହାବିଦ୍ୟାଳୟ, ବଡବିଲ ,ଜି-କେନ୍ଦୁଝର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational