ଚିର ବସନ୍ତ
ଚିର ବସନ୍ତ
ଋତୁରାଜଟିଏ ହେବି ତୋ ପାଇଁ
ଫଗୁଣର ଫଗୁ ଆଣିବି ବୋହି
ମଳୟ ଗନ୍ଧରେ ମହକାଇ ଦେବି
ତୋ ମନ ହୃଦୟ ର ଅରଣ୍ୟ ଭୂଇଁ ।୧।
ପ୍ରତି,ପ୍ରେମ ସୁଧା ବୋଳି ପ୍ରତି ଅଙ୍ଗେ
ପୁଲକ ଜୁଆରେ ଦେବି ଭସାଇ
ମୋ ମନ ସରସୀ ନୀରରେ ଫୁଟିବୁ
କୁମୁଦ କମଳ ରୂପସୀ ହୋଇ ।୨।
କୃଷ୍ଣଚୂଡ଼ା ହୋଇ ତୋତେ ରଙ୍ଗାଇବି
ଅଧରର ମଧୁଟିଏ ମୁଁ ହୋଇ
ବଉଳର ବାସ ତୋ ଲାଗି ଆଣିବି
ଚଇତାଳି ମାସ ସମୀର ହୋଇ ।୩।
ତୋ ଲାଗି ଗାଇବି କୋଇଲିର କଣ୍ଠେ
ବକୁଳ ବନର ଗହଳେ ଥାଇ
ପ୍ରେମ ସଙ୍ଗୀତରେ ତୋ ମନ ମୋହିବି
ଚିର ବସନ୍ତ ଟେ ହେବି ତୋ ପାଇଁ ।୪।

