ଛନ୍ଦାପୟରଙ୍କୁ ପଦେ
ଛନ୍ଦାପୟରଙ୍କୁ ପଦେ
ମାଟିକୁ ତ ଛୁଇଁ କାହାଣୀ ବଖାଣେ
ଏ ପାଦ ଦୁଇ
ଦିଗ ଚଉଦିଗ ବୁଲୁଛି ଘୁରୁଛି
ଏ ପାଦ ପାଇଁ ।
ପାଦ ପାଇଁ ମୁଁ ତ ଅଣ୍ଟାକୁ ସଳଖି
ହେଉଛି ଠିଆ
ଦୁନିଆ ଦେଖୁଛି ଦୁନିଆ ବୁଲୁଛି
ଫୁଲେଇ ହିଆ।
ମାଆ ହାତ ଧରି କୁନି ପାଦ ମୋର
ଚାଲି ଶିଖିଲା
ଠୁକୁଠୁକୁ ହୋଇ ଘର ଅଗଣାରେ
ଘୁରି ବୁଲିଲା ।
ସମୟ ସାଥିରେ ତାଳଦେଇ ମୁଁ ତ
ପାଦ ମିଳେଇ
ପାଦ ମୋର ଗଲା ଆଗକୁ ଆଗକୁ
ନିତି ଆଗେଇ ।
ପାଦଛନ୍ଦି କେତେ ନାଚ ମୁଁ ନାଚିଲି
ଝୁମି ମୁଁ ଗଲି
ଦଉଡିଲି ପୁଣି ଖୁସିହୋଇ କେତେ
ଡିଆଁ ମାରିଲି ।
ରାତି ନପାହୁଣୁ ପାଦ ଦୁଇ ମୋର
ହୁଏ ଚଞ୍ଚଳ
ନିରବି ଯାଏସେ ଆଖିରେ ହୋଇଲେ
ନିଦ ବହଳ ।
ବୟସତ ଯେବେ ପାଦ ଦୁଇକୁ ମୋ
କରିବ ବାଦ
ମନ ଆଦେଶକୁ ମାନିବନି ପାଦ
ହଜିବ ନିଦ ।
ଛନ୍ଦାପୟରଙ୍କୁ ଯୋଡି ହାତ ସଦା
କରେ ମିନତି
ସଚଳ ରଖିବ ମହାପ୍ରଭୁ ମୋର
ପାଦକୁ ନିତି ।
ଦୟାକର ପ୍ରଭୁ ଉଡିଯିବାଯାଏ
ଏ ପ୍ରାଣ ପକ୍ଷୀ
ଚାଲୁଥିବି ମୁଁ ତ ବୁଲୁଥିବି ମୁଁ ତ
ନପଡି ଥକ୍କି ।
ଛନ୍ଦ କି କପଟ କରି ବନି ପ୍ରଭୁ
କେବେ ମୋଠାରେ
ଛାଡିଗଲେ ଜୀବ ଛନ୍ଦିଦେବ ତୁମ
ଛନ୍ଦା ପୟରେ ।