ଛଳନାର ଦୀପ ଜାଳନା ସାଥୀ
ଛଳନାର ଦୀପ ଜାଳନା ସାଥୀ
ସାତ ଜନମକୁ ଏକାଠି ରହିବା
ସାକ୍ଷୀ ଥିଲା ଦିନେ ଦୀପର ଜ୍ୟୋତି
ତାକୁ ଭୁଲିଯାଇ ଜୀବନ ବେଦିରେ
ଛଳନାର ଦୀପ ଜାଳନା ସାଥୀ ।
ତାହା ଜୀବନକୁ ଆଲୋକ ବଦଳେ
କରି ଦେଉଥିବ ଅନ୍ଧାରମୟ
ସୁଖ ଅପସରି ଦୁଃଖକୁ କୋଳେଇ
ଜିଇଁବା ହୋଇଯିବ ଦୁଃର୍ବିସହ ।
ଛଳନାଠୁ ବଳି ଘୃଣ୍ୟ ଆଚରଣ
ନାହିଁ କିଛି ଜାଣ ମାନବ ପାଇଁ
ସତ୍ୟର ପ୍ରକାଶ ହୃଦୟର ଦୁଃଖ
ହରି ନେବାପାଇଁ ବାଟ କରଇ ।
ଛଳନା ଭାଙ୍ଗଇ ବିଶ୍ବାସ ଭରସା
ଆଶା ରହିଯାଏ ଅପୂର୍ଣ୍ଣ ହୋଇ
ଏମିତି ଦାମ୍ପତ୍ୟ ଜୀବନେ କି ଲାଭ
ଯେଉଁଠି ଆପଣାପଣ ନଥାଇ ।
ଏକାଠି ଜିଇଁବା ଏକାଠି ମରିବା
ଶପଥେ କି କେବେ ଥାଏ ଛଳନା
କେଉଁ ବିବଶତା ବଦଳାଇ ଦେଲା
ଆଜି ପ୍ରିୟତମ ମନ ଭାବନା ?
ଚେତାଇ ଦେଉଛି ଏ ଦୀପ ଲିଭାଇ
ବିଶ୍ଵସ୍ତ ଦୀପରେ ହୃଦ ସଜାଅ
ଦେଖିବ ସେ ଦୀପ ଦୀପ୍ରିକୁ ମେଲାଇ
ଜୀବନେ ଜଳୁଥିବ ଅହରହ ।
