ଛିନ୍ନ ବନ୍ଧନ
ଛିନ୍ନ ବନ୍ଧନ
ଦୁହିତା ମୁଁ
ସ୍ନେହମୟୀ ଜନନୀ ବନିତା
କଲ୍ୟାଣ ମୟୀ ଅଟେ ଭଗିନୀ ମୁଁ ସୂତା
ତେବେ କିପରି ହେଲି ଏହି ଜଗତେ ଆଜି
କଳଙ୍କିନୀ, ପାପିନୀ, ପତିତା, ଦୁଶ୍ଚରିତ୍ରା ?
କ୍ଷଣିକ ଉତ୍ତେଜନା
ପାଶବିକ ପ୍ରବୃତ୍ତିକି କାମାନ୍ଧ
ନୁହେଁ କେବେ ଏହା ଯେ ମୋହରି ଅନ୍ତର୍ଦ୍ୱନ୍ଦ
ତେବେ ପରିସର ଭୂକ୍ତ ନୁହେଁ ଯାହା
ହେଲା କିପରି ତାର ମୋ ନାମ ସହ ସମ୍ବନ୍ଧ ?
ପାଞ୍ଚାଳୀ ଚଢ଼ିଲା ବଳୀ
ପଶା ଖେଳ ପାଶ ବନ୍ଧକେ
ପାଣ୍ଡବ କୃତ ଭୁଲ୍ ଗଣନାର ଫନ୍ଦେ
କୁରୁସଭାରେ କୁରୁ କୂଳବଧୁ ଯେ କାନ୍ଦେ l
ଅନ୍ୟାୟୀ ଦଶାନନ ପ୍ରବଳ ଅତ୍ୟାଚାର
ବଧ ହେତୁ ବିଷ୍ଣୁ ହେଲେ ବଦ୍ଧ ପରିକର
ଜନକ ନନ୍ଦିନୀ ହୋଇ ତା ଶଠତା ଶିକାର
ଚରିତ୍ର କଳଙ୍କେ ହେଲେ ଭୂମି ମଧ୍ୟେ ସ୍ଥିର l
ରାଜେନ୍ଦ୍ର କାମନା ବାଲେ ଗୌତମ ରୂପେ ଆସି
ଅହଲ୍ୟା ସମ୍ମୁଖରେ ଛଦ୍ମବେଶରେ ପ୍ରକାଶି
ପାପ ଅପରାଧ କରି ମୁକ୍ତ ଇନ୍ଦ୍ର ଅବିନାଶୀ
ପାଷାଣ ନାରୀ ରାମ ପଦେ ହେଲା ବିଶ୍ୱାସୀ l
ଶତତ ନିର୍ଭୟାର ବୁକୁ ଫଟା କ୍ରନ୍ଦନ
ଶୁଭେନି କର୍ଣ୍ଣେ କି ନ୍ୟାୟ ହୁଏନି ସନ୍ଧାନ
ଯୁଗେ ଯୁଗେ ଏଠି ଶୃଙ୍ଖଳ ଯୁକ୍ତ ନାରୀ ଶକ୍ତି
ନ୍ୟାୟ ସଂଗ୍ରାମେ ନିଜେ ନ୍ୟାୟ ହିଁ ଖୋଜେ ମୁକ୍ତି l
