STORYMIRROR

Sambit Srikumar

Action Inspirational

4  

Sambit Srikumar

Action Inspirational

ଛାଇ ଖୋଜୁନଥିବା ଝିଅ

ଛାଇ ଖୋଜୁନଥିବା ଝିଅ

1 min
223


ଧୂ ଧୂ ଖରାବେଳେ ବ୍ଯସ୍ତ ବହୁଳ

ମହାନଗରୀ ମଧ୍ୟଭାଗର ଟ୍ରାଫିକ୍ ପୋଷ୍ଟରେ

ଠିଆ ହୋଇଥିବା ମହିଳା କନେଷ୍ଟବଳଟି

ବି ତ କାହାର ଅଲିଅଳି ଝିଅ

ଦିନେ ବଢ଼ିଥିବ କେତେ ଗେଲବସରରେ!!

ପେଟପାଟଣା ଦାୟରେ ସେ ସାଜିଛି ପ୍ରହରୀ

ନିତି ସହୁଛି କେତେ ଟାହିଟାପରା

କେତେ କେତେ ବକ୍ର କଟୁ ଦୃଷ୍ଟି

ତା'ର ଅଙ୍ଗରାଜିର ସୁଦୃଢ଼ ସୁରକ୍ଷା

ବଳୟ ଭେଦି ଯାଉଅଛି କେହିବି

କେବେ ସେକଥାର କଳନା କରିନି!!

ପ୍ରଭାବଶାଳୀଙ୍କ ଅପତ୍ଯବର୍ଗ

ନେତା ମନ୍ତ୍ରୀଙ୍କ ଚେଲା ଚାମୁଣ୍ଡା

କୁଜିନେତା ବାହୁବଳୀ ଧପ୍ପାବାଜ ଟାଉଟର

ଦେଖାନ୍ତି ତାହାକୁ କେତେ ରୁବାବ

ନାଲି ଆଲୁଅ ଡେଇଁ କରି ଦର୍ପରେ

ଆଇନକାନୁନର କଥା କହିଲେ

ଓଲଟି ଆକ୍ରମଣ କରନ୍ତି ତା' ଉପରେ

କଣ ବା ଆଉ ଚାରା ତାହାର??

ଶୃଙ୍ଖଳା ବାନ୍ଧି ଦେଇଛି ତାହାକୁ

ନୀତିର ହାତକଡିରେ

ନିୟମର ବେଡିରେ

ସହିଯିବାକୁ ହେବ ସବୁକିଛି

ଅସୀମ ଧୈର୍ଯ୍ୟର ସାହାରେ

ସୀମିତ ସାଧନରେ ଭରିବାକୁ ଅଛି

ବହୁ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର

ନୀରବି ଯାଏ ପ୍ରତିବାଦର ସ୍ବର!!

ଚାରିଆଡ଼େ ସବୁଜ ବନାନୀ ରହିଛି ବେଢ଼ି

ପଥଚାରୀ କେତେ ନେଇଛନ୍ତି ବିଶ୍ରାମ ସେଠି

ଦେଖି ମନରେ ଖିଆଲ ଆସେ ଶୀତଳତାର

ଦଣ୍ଡେ ପହରେ ଥକ୍କା ମେଣ୍ଟାଇବାକୁ

ଏତିକିରେ ବାଜେ ସତର୍କ ସାଇରନ୍

ଅତି ବିଶିଷ୍ଟ ବ୍ଯକ୍ତିବିଶେଷଙ୍କ ଆଗମନର

ସୁଗମ କରିବାକୁ ହେବ ପଥ ସେମାନଙ୍କର

ନଚେତ୍ ହୋଇବ ଦଣ୍ଡ ବିଧାନ କଠୋର!!

କର୍ତ୍ତବ୍ୟ କରିବାର ଅଛି ତା'କୁ ଏକା ଏକା

ଠିଆ ହୋଇ ଡହକରେ ଟ୍ରାଫିକ୍ ପୋଷ୍ଟରେ

ଥକ୍କା ଲାଗିଲେ ବି ତିଳେ ନାହିଁ ନିସ୍ତାର

ତଣ୍ଟି ଶୁଖିଗଲେ ପିଏ ତତଲା ପାଣି

ଆଖିରୁ କେବେ ଢାଳେ ନାହିଁ ଅଶ୍ରୁ

ନିନ୍ଦେନି ଭାଗ୍ୟକୁ କଥାରେ କଥାରେ

ଛାଇ ଖୋଜୁନଥିବା ସେଇ ନିରିମାଖି ଝିଅ

ଅବଳା ଦୁର୍ବଳା ହୀନବଳା ନୁହେଁ

ବୀରାଙ୍ଗନାଟିଏ ବାସ୍ତବ ଅର୍ଥରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action