ଚାରୁ ଚମ୍ପକ ବରନା
ଚାରୁ ଚମ୍ପକ ବରନା
ଚାରୁ ଚମ୍ପକ ବରନା ହଲିହଲି ଆସୁଛିରେ
ଚକା ଚାନ୍ଦ ବଦନରେ ଖିଲିଖିଲି ହସୁଛି ରେ|
ନବ ସପତ ବୟସୀ ରସାଳସା ମଦାଳସୀ
କଳା ମଚ ମଚ କଚ ନିତମ୍ବକୁ ଚୁମ୍ବୁଛିରେ,
ଚାରୁ ଚମ୍ପକ ବରନା ହଲି ହଲି ଆସୁଛିରେ ।
କୁଞ୍ଜର ଗତି ସୁନ୍ଦର ହରି କଟି ମନୋହର
ବକ୍ଷ ବାସ ଠେଲି ଉଚ୍ଚ କୁଚ ଶୋଭା ଦିଶୁଛି ରେ,
ଚାରୁ ଚମ୍ପକ ବରନା ହଲି ହଲି ଆସୁଛିରେ ।
ଖଞ୍ଜନ ଗଞ୍ଜନ ଆଖି ଦେଖି ମନ ଯାଏ ଲାଖି
ଭ୍ରୂଲତା କାମ କମାଣ ଯୁବା ମନ ଦହୁଛି ରେ,
ଚାରୁ ଚମ୍ପକ ବରନା ହଲି ହଲି ଆସୁଛିରେ ।
ଜଵାଧରୀ କୃଶୋଦରୀ ସଂସାର ସାର ସୁନ୍ଦରୀ
ରସେ ଭାଷେ ଜଗନ୍ନାଥ ପାରିବ କେ ମୁରୁଛି ରେ,
ଚାରୁ ଚମ୍ପକ ବରନା ହଲି ହଲି ଆସୁଛିରେ
ଚକା ଚାନ୍ଦ ବଦନରେ ଖିଲି ଖିଲି ହସୁଛି ରେ ।