STORYMIRROR

Rasmita Dixit

Abstract

2  

Rasmita Dixit

Abstract

ଚାଲ , ଟିକେ ଦୁଷ୍ଟ ହେବା

ଚାଲ , ଟିକେ ଦୁଷ୍ଟ ହେବା

2 mins
407

  କିଛି ଟିକେ ନୂଆ କଥା ଭାବିବାକୁ 

  ଇଚ୍ଛା ହେଲା ଆଜି , 

  ଆଉ କି ଅପେକ୍ଷା କରେ

  ମୁକୁଳା କରିଦେଲି ମନର ସିନ୍ଦୁକ ,

  ଗୋଟି ଗୋଟି କରି କାଢି ଆଣିଲି 

   ପୁଅ କଣ୍ଢେଇ , ଝିଅ କଣ୍ଢେଇ 

   ଜରିଦିଆ ଶାଢ଼ୀ , ଝାଲେରିବାଲା ଟୋପି

  ହାତୀ , ଘୋଡା , ମାଙ୍କଡ଼ ,କୁକୁର 

  ହଂସ ଆଉ ବତକ , ମୟୂର 

  ଏତିକିରେ ଆଖି ପିଛୁଳାକେ 

   ଘଟିଗଲା ସତେକି କୁହୁକ


  ଏଇତ ମୁଁ

  ପତଳା ଦେହ , ଲମ୍ବା ବେଣୀ 

  ଆଖିରେ ମେଞ୍ଚାଏ କଳା 

   ମାମୁ ଘରୁ ଆଣିଥିବା ଛୋଟ ଶାଢ଼ୀ 

   ଗୁଡେଇ ହେଇ ଅନଭ୍ୟସ୍ତ ଢଙ୍ଗରେ 

   ପାଦ ଛଂଦି ଚାଲୁଛି

  ମିଛିମିଛିକା ଭାତ, ତରକାରୀ 

  ନଡ଼ିଆ ସଢେଇ ରେ ବାଲି ପୁରେଇ 

  ପୋଖତ ଘରଣୀ ପରି ରାନ୍ଧୁଛି


  କଣ୍ଢେଇ ବାହାଘର ବଉଳ ର 

  ରାଜାପୁଅ ସାଥେ 

  ସୈନ୍ୟ ସାମନ୍ତ ରେ ଭରା ପଟୁଆର ,

  ବୋଉ ପରି ଵ୍ୟସ୍ତ ,ବିବ୍ରତ ମୁଁ

   କେମିତି କରିବି ଏତେ ସବୁ କାମ 

   କେତେ ହେବି ଘରଠୁ ବାହାର


  ଯୌତୁକ ମାଗେ ବଉଳର ପୁଅ

  ରାଲେ ସାଇକେଲ , ଫିଲିପସ ରେଡ଼ିଓ

  ଏଚ ଏମ ଟି ଘଡି , ଆଉ ସୁନା ମୁଦି ,

  ଆଖି ତରାଟି କହୁଛି ମୁଁ ଖବରଦାର

  ମୋ ଝିଅକୁ କିଛି କହିବନି , ନହେଲେ

  ଉଠା ତୋ ପୁଅକୁ ବେଦୀରୁ ଜଲଦି


  ଆଡ଼ ରୁଷା , ମାନ ଅଭିମାନ 

  ମୁହୁର୍ତ୍ତ କେ ଯାଉଛି ତରଳି 

  ମିଛ ମିଛ କ୍ରୋଧ ତଳୁ ଫୁଟିଉଠୁଛି 

   ଅନାବିଳ ହସର ଫୁଆରା ,

   ଆରେ ଆରେ କୁଆଡେ ଚାଲିଯାଉଛ ନେଇ 

  ମୋ କଣ୍ଢେଇ ଘରକୁ

   ସିନ୍ଦୁକ ଟା ଖୋଲା ଅଛି ପରା


  ଏଇ ବଉଳ ଶୁଣ ନା 

  ଆମେ ଜମା ବଡ଼ ହେବାନି 

  ଏଇମିତି ଛୋଟ ରହିଥିବା 

   ବଡ଼ମାନଙ୍କ ଦୁନିଆଟା ଭାରି ଜଟିଳ ,

   ବେସ ଭଲ ଆମର ଏ 

  ମିଠା ମିଠା ମିଛ ର ସଂସାର 

   ତୋ ପାଇଁ ମୁଁ ,

   ମୋପାଇଁ ତୁ 

   ଆମ ପାଇଁ ଜୀବନଟା 

  ପଢ଼ା ବହି ଗଣିତ ଠୁ

  ନିହାତି ସରଳ


  ତୁ ଟିକେ ପଛକୁ ଆସ

  ମୁଁ ଯିବି ତୋ ପାଖକୁ ଘୁଞ୍ଚି

  ତମାମ ଦିପହର ଖେଳିବା ଆମେ ପୁଚି ,

   ସଭିଏଁ ଶୋଇଲା ପରେ 

   ମନ ଭରି ହସିବା

   ବାପାଙ୍କର ପାଟି ଶୁଣି 

   ମିଛ ମିଛ ନିଦରେ   

   ଶୋଇବାର ବାହାନା କରିବା


  ଏ ବଉଳ କୁଆଡେ ଯାଉଛୁ

  ରହ ଟିକେ ଆଉ ଟିକେ 

  ତୋର ମୋର ଖେଳ ଖେଳିବା ,

   ମନ ପ୍ରଜାପତି ଟାକୁ ଦେଏନା ଉଡେଇ 

   ସ୍ବପ୍ନର ମୁହୁର୍ତ୍ତ କୁ ଜାବୁଡି ଧରିବା 

   ବୟସ ର ପାହାଚରେ ଖସିବା ଆଗରୁ 

   ଶେଷ ଥର ପାଇଁ ଚାଲ

    ଆଉ ଟିକେ ଦୁଷ୍ଟ ହେବା

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract