ଚାଲ ବୁଲିଯିବା ଅଯୋଧ୍ୟା
ଚାଲ ବୁଲିଯିବା ଅଯୋଧ୍ୟା
ଚାଲ ବୁଲିଯିବା ଅଯୋଧ୍ୟା ନଗର
ସୀତାଙ୍କର ଶାଶୁ ଘର ।
ବିଦେହମଣ୍ଡଳେ ବୈଦେହୀ ବରିଲେ
ରାମଚନ୍ଦ୍ର ତାଙ୍କ ବର ।।
ଅପୂର୍ବ ନଗରୀ ମନୁ ତୋଳାଇଲେ
ପୁଣ୍ୟ ସରଯୁର କୁଳେ ।
ଅପୂର୍ବ ତା ଶୋଭା କି ବର୍ଣିବି ଅବା
ଅମରାବତୀକୁ ବଳେ ।।
ଅଯୋଧ୍ୟା ନଗରୀ ସେ ଅବଧପୁରୀ
ସୂର୍ଯ୍ୟବଂଶ ରାଜଧାନୀ ।
ସୂର୍ଯ୍ୟବଂଶ କୀର୍ତ୍ତି ବର୍ଣିଲେ ଭାରତୀ
ବାଲମିକ ମହାମୁନି ।।
ବୀର ସତ୍ୟସନ୍ଧ ରାଜା ହରିଶ୍ଚନ୍ଦ୍ର
ଘାଟେ ଶ୍ମଶାନ ଜଗିଲେ ।
ମହାତପ କରି ରାଜା ଭଗୀରଥ
ଗଙ୍ଗା ମରତେ ଆଣିଲେ ।।
ପ୍ରାଣ ଯାଉ ପଛେ ବଚନ ନଯାଉ
ଏହି ରଘୁକୁଳ ରୀତି ।
କଥାଅଛି ରହି କାଳେ କାଳେ ଭାଇ
ଗଲେଣି ଚଳି ନୃପତି ।।
ଈକ୍ଷାକୁ ନୃପତି ରହିଛି କୀରତୀ
ଥାପିଲେ ଈକ୍ଷାକୁ ବଂଶ ।
ନନ୍ଦିନୀ ଆଶିଷେ ରଘୁ ଜନମିଲେ
ରଘୁବଂଶ ଅବତଂଶ ।।
କାଳେ ଜନମିଲେ ସେ କୁଳରେ ପୁଣି
ମହାମନା ରାଜା ଅଜ ।
ଇନ୍ଦ୍ର ତୁଲ୍ୟ, ଅଜ ପୁତ୍ର ଜନମିଲେ
ଦଶରଥ ମହାରାଜ ।।
ପ୍ରଭୁ ବ୍ରହ୍ମରାଶି ଜନମିଲେ ଆସି
ଦଶରଥଙ୍କର କୋଳେ ।
ପିତୃ ସତ୍ୟ ପାଳି ଚୋଉଦ ବରଷ
ବନେ ବନବାସୀ ହେଲେ ।।
ଜାନକୀ ହରଣ ଜଟାୟୁ ମରଣ
ବଧ ହେଲା ଦଶାନନ ।
ସ୍ୱର୍ଣ୍ଣଲଙ୍କା ପୋଡ଼ି ଅଧର୍ମରେ ନାଶ
ଜଳାଇଲେ ହନୁମାନ ।।
ତମସା ତୀରରେ ବାଲ୍ମୀକି ରଚିଲେ
ମହାକାବ୍ୟ ରାମାୟଣ ।
ନାୟକ ଯାହାର ସ୍ଵୟଂ ପରଂବ୍ରହ୍ମ
ରାମ ରୂପେ ନାରାୟଣ ।।
ବାଲ୍ମିକୀ ଆଶ୍ରମେ ସୀତା ବନବାସ
ଜନମିଲେ ଲବ କୁଶ ।
ଅଶ୍ଵମେଧ ଯଜ୍ଞେ ରାମଙ୍କୁ ମିଳିଲେ
ସୀତା ମେଦିନୀ ପ୍ରବେଶ ।।
ଶ୍ରୀରାମ ଚରିତେ ରଚି ଭକ୍ତି ଗୀତେ
ଶ୍ରୀତୁଳସୀ ମହାସନ୍ଥ ।
ରମ୍ୟ ରସମୟ ଭାବ ଭକ୍ତିମୟ
ଶ୍ରୀରାମ ଚରିତ ଗୀତ ।।
ଶିଳ୍ପୀକୂଳ ମିଶି ମହା ଆୟୋଜନେ
ଲାଗିଛନ୍ତି ରାତିଦିନ ।
ଭବ୍ୟ ଶ୍ରୀମନ୍ଦିରେ ବିରାଜିତ ହେବେ
ରାମଲାଲା ଭଗବାନ ।।
ତାଙ୍କ ଦରଶନେ ପବିତ୍ର କରିବା
ପାପୀ ଚର୍ମଚକ୍ଷୁ ଦ୍ୱୟ ।
ଜୟ ସୀତା ରାମ ନୟନାଭିରାମ
ବିଶ୍ଵ ହେଉ ରାମମୟ ।
ବିଶ୍ଵହେଉ ରାମମୟ ।।
