STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାଲ ବୁଲିଯିବା ଅଯୋଧ୍ୟା

ଚାଲ ବୁଲିଯିବା ଅଯୋଧ୍ୟା

1 min
32

 

ଚାଲ ବୁଲିଯିବା ଅଯୋଧ୍ୟା ନଗର 

   ସୀତାଙ୍କର ଶାଶୁ ଘର ।

ବିଦେହମଣ୍ଡଳେ ବୈଦେହୀ ବରିଲେ 

    ରାମଚନ୍ଦ୍ର ତାଙ୍କ ବର ।।

ଅପୂର୍ବ ନଗରୀ ମନୁ ତୋଳାଇଲେ

   ପୁଣ୍ୟ ସରଯୁର କୁଳେ ।

ଅପୂର୍ବ ତା ଶୋଭା କି ବର୍ଣିବି ଅବା

    ଅମରାବତୀକୁ ବଳେ ।।

ଅଯୋଧ୍ୟା ନଗରୀ ସେ ଅବଧପୁରୀ

   ସୂର୍ଯ୍ୟବଂଶ ରାଜଧାନୀ ।

ସୂର୍ଯ୍ୟବଂଶ କୀର୍ତ୍ତି ବର୍ଣିଲେ ଭାରତୀ 

    ବାଲମିକ ମହାମୁନି ।।

ବୀର ସତ୍ୟସନ୍ଧ ରାଜା ହରିଶ୍ଚନ୍ଦ୍ର

   ଘାଟେ ଶ୍ମଶାନ ଜଗିଲେ ।

ମହାତପ କରି ରାଜା ଭଗୀରଥ

  ଗଙ୍ଗା ମରତେ ଆଣିଲେ ।।

ପ୍ରାଣ ଯାଉ ପଛେ ବଚନ ନଯାଉ

    ଏହି ରଘୁକୁଳ ରୀତି ।

କଥାଅଛି ରହି କାଳେ କାଳେ ଭାଇ

   ଗଲେଣି ଚଳି ନୃପତି ।।

ଈକ୍ଷାକୁ ନୃପତି ରହିଛି କୀରତୀ 

  ଥାପିଲେ ଈକ୍ଷାକୁ ବଂଶ ।

ନନ୍ଦିନୀ ଆଶିଷେ ରଘୁ ଜନମିଲେ

   ରଘୁବଂଶ ଅବତଂଶ ।।

କାଳେ ଜନମିଲେ ସେ କୁଳରେ ପୁଣି

    ମହାମନା ରାଜା ଅଜ ।

ଇନ୍ଦ୍ର ତୁଲ୍ୟ, ଅଜ ପୁତ୍ର ଜନମିଲେ 

    ଦଶରଥ ମହାରାଜ ।।

ପ୍ରଭୁ ବ୍ରହ୍ମରାଶି ଜନମିଲେ ଆସି

   ଦଶରଥଙ୍କର କୋଳେ ।

ପିତୃ ସତ୍ୟ ପାଳି ଚୋଉଦ ବରଷ 

  ବନେ ବନବାସୀ ହେଲେ ।।

ଜାନକୀ ହରଣ ଜଟାୟୁ ମରଣ

    ବଧ ହେଲା ଦଶାନନ ।

ସ୍ୱର୍ଣ୍ଣଲଙ୍କା ପୋଡ଼ି ଅଧର୍ମରେ ନାଶ 

   ଜଳାଇଲେ ହନୁମାନ ।।

ତମସା ତୀରରେ ବାଲ୍ମୀକି ରଚିଲେ

   ମହାକାବ୍ୟ ରାମାୟଣ ।

ନାୟକ ଯାହାର ସ୍ଵୟଂ ପରଂବ୍ରହ୍ମ

   ରାମ ରୂପେ ନାରାୟଣ ।।

ବାଲ୍ମିକୀ ଆଶ୍ରମେ ସୀତା ବନବାସ

    ଜନମିଲେ ଲବ କୁଶ ।

ଅଶ୍ଵମେଧ ଯଜ୍ଞେ ରାମଙ୍କୁ ମିଳିଲେ 

  ସୀତା ମେଦିନୀ ପ୍ରବେଶ ।।

ଶ୍ରୀରାମ ଚରିତେ ରଚି ଭକ୍ତି ଗୀତେ

    ଶ୍ରୀତୁଳସୀ ମହାସନ୍ଥ ।

ରମ୍ୟ ରସମୟ ଭାବ ଭକ୍ତିମୟ 

   ଶ୍ରୀରାମ ଚରିତ ଗୀତ ।।

ଶିଳ୍ପୀକୂଳ ମିଶି ମହା ଆୟୋଜନେ 

    ଲାଗିଛନ୍ତି ରାତିଦିନ ।

ଭବ୍ୟ ଶ୍ରୀମନ୍ଦିରେ ବିରାଜିତ ହେବେ 

   ରାମଲାଲା ଭଗବାନ ।।

ତାଙ୍କ ଦରଶନେ ପବିତ୍ର କରିବା 

   ପାପୀ ଚର୍ମଚକ୍ଷୁ ଦ୍ୱୟ ।

ଜୟ ସୀତା ରାମ ନୟନାଭିରାମ

   ବିଶ୍ଵ ହେଉ ରାମମୟ ।

   ବିଶ୍ଵହେଉ ରାମମୟ ।।

      


Rate this content
Log in

Similar oriya poem from Inspirational