ଚାଲ ଭାଇ ଆମେ ଗରିବ ହେବା
ଚାଲ ଭାଇ ଆମେ ଗରିବ ହେବା


ଗରିବୀ ହଟାଅ ନେତାଙ୍କର ଇଏ
ନୁହେଁ ହୃଦୟର ବାଣୀ ,
ଗରିବ ରହିଲେ ସହଜରେ ସିନା
ପାରିବେ ଭୋଅଟ କିଣି ।
ଗୋରାସାହେବ ଓ ଆମନେତା ମଧ୍ୟେ
କିଛି'ବି ନାହିଁ ଫରକ ,
ଭକୁଆ ବନାଇ ଲୋଟନ୍ତି ଆମକୁ
ବାଲାନ୍ସ ବଢାନ୍ତି ତା'ଙ୍କ ।
ବିକାଶ ବଦଳେ ବିନାଶ ଆଡ଼କୁ
ଭିଡ଼ୁଛନ୍ତି ଆମ ନେତା ,
ମାଗଣା ଅଭ୍ୟାସେ ମତୁଆଲା ହୋଇ
ବୁଝୁନୁ ଭିତିରି କଥା ।
ଫସଲ ଉଜୁଡି ଗଲେ ଖୁସି ହେଉ
ମିଳିଲେ କିଛି ଭିକ୍ଷାରେ ,
ଶୀତଳ ଗୋଦାମ, ନଦୀ ବନ୍ଧ କଥା
ଧରିବୁ କିଆଁ ତୁଣ୍ଡରେ ?
ଖାଇବା, ପିନ୍ଧିବା,ଘର, ସ୍ବାସ୍ଥ୍ୟସେବା
ସବୁ ଯେବେ ମାଗଣାରେ ,
କାହିଁକି କହିବୁ ଟଙ୍କା ନୁହେଁ, କାମ
ଦିଅ ବୋଲି ମିଛଟାରେ ?
ବଦଳି ଗଲାଣି ଆମ ଚିନ୍ତାଧାରା
ନ'ଜଗି ଆତ୍ମ ସମ୍ନାନ ,
ସରକାରୀ ଲାଭ ଉଠେଇବା ପାଇଁ
ଖୋଜୁ ଗରିବୀ ପ୍ରମାଣ ।
କରୁଛି ମିନତି ହେ ଭାରତ ବାସୀ
ନିଜ ସ୍ବାର୍ଥେ ହୋଇ ଅନ୍ଧ ,
ଡାକନା ବିପଦ ମାତୃଭୂମି ପାଇଁ
ବେଳ ଥାଉ ବନ୍ଧ ବାନ୍ଧ ।