ଚାହିଁଲା ତ ନାହିଁ
ଚାହିଁଲା ତ ନାହିଁ
(4)
ଚାହିଁଲା ତ ନାହିଁ
କବି ସୂର୍ଯ୍ୟ ବଳଦେବ ରଥ
ରାଗ - ଆଷାଢ ଶୁକ୍ଳ
ଚାହିଁଲା ତ ନାହିଁ ଚକ୍ଷୁକୋଣେ ଚାରୁଚନ୍ଦ୍ରମାମୁଁହୀ (ଘୋଷା)
ଚାମର କୁନ୍ତଳା ବସନ୍ତେ ଋଷି, ଚିନ୍ତାଜଳେ କେଉଁ ତରୁଣ ଭାସି l
ଚତୁରୀ ସହଚରୀ ଆଗେ ବୋଲେ, ଚିତ୍ତରେ କି ଘେନି ଟିକିଏ ହେଲେ (1)
ଚରମ ଆଡେ ଡରି ଉଭା ହେଲି, ଚାକର ଛାମୁରେ ଭେଟୁଛି ବୋଲି l
ଚାଟୁ ଚାତୁରୀ ଚଟୁଳ ବଚନ , ଚାରିଶ ପଦ କଲି ନିବେଦନ (2)
ଚିବୁକ କମ୍ପାଇ ହୋଇ ବିକଳ, ଚିରିଲା ଚରଣେ ନଖେ ଭୂତଳ l
ଚିର ଅରଜିତ ସ୍ନେହସମ୍ପଦେ, ଚଡକପକାଇ ନିର୍ଦ୍ଦୟେ ହୃଦେ (3)
ଚିନାଏ ଅପରାଧ ନାହିଁ ବୋଲି, ତେଜ ଅଞ୍ଚଳ ପ୍ରସାରି କହିଲି l
ଚଣ୍ଡମୂରତି ଧଇଲା କା ବୋଲେ, ଚରଣ ପଙ୍କଜ ଧଇଲେ ହେଲେ (4)
ଚମ୍ପକଗଉରାଙ୍ଗୀ ପ୍ରଭୁପଣେ, ଚେଟୀଙ୍କ ତୁଲେ ମୁଁ ହୋଇଲି ଜଣେ l
ଚେର ଦେବାକାଳେ ମୋ ଭାଗ୍ୟବଲ୍ଲୀ, ଚଳିଉପୁଡାଇ ଦେଲା କି ବୋଲି (5)
ଚଡାଇ ଉନ୍ନତ ସୁଖପାଦପେ, ଚକିଆଇ ମୂଳୁଁ କାଟିଲେ କୋପେ l
ଚିକ୍ କଣ ନୁହଁଇ ବୋଲି ନଜାଣି, ଚିଟା ହେଲା ମୋରେ କାହୁଁକି ଶୁଣି (6)
ଚଣ୍ଡାଳ ଦୁର୍ଯ୍ୟୋଗରୁ ହୋଇ ଦୋଷୀ,ଚିହ୍ନ ଯେବେ ମୋର ରହିଛି ଗ୍ରାସି l
ଚଦି ଥରେ ଆଗ ପଛେ ନବୀନା, ଚତୁର୍ଥ ଉପାୟ କରନ୍ତା ସିନା (7)
ଚାତୁର୍ଯ୍ୟବତୀ ନରକରି କରି, ଚାଲି ନଜାଣେ ମୁଁ ଗରବେ ପୂରି l
ଚିରାଳ ଯୁବାଗଣେ ବାନ୍ଧିଥାଇ, ଚୂନାକରି ମୋର ତେଡେ ଚଡାଇ (8)
ଚାରୁବେଶାର ମୁହିଁ ଅନ୍ତରଙ୍ଗ, ଚଉପଦି ଗୀତ ରଚନା ସଙ୍ଗ l
ଚଉଠେ ନରଖିଲା ସେ ସ୍ନେହରୁ, ଚପଳେ ଛଡାଇ ଦେଇ ଦେହରୁ (9)
ଚାମୀକରସାରଦେହା ଦେହରେ, ଚୀନବାସ ପରି ଦିନ ଯେ ହରେ l
ଚଉକେ ଅନ୍ତର ନୁହଇ କେବେ, ଚୋର ହେଲି ତାହା ଛାମୁକୁ ଏବେ (10)
ଚିହ୍ନିଥାଇ ଯାକୁ କାଳକେ ଦିନେ, ଚେତି ତ ପୁଣି ସେ ପଡେ ନୟନେ l
ଚାଦର ଧରକୁ ଏହା କି କରି, ଚତୁରକ୍ଷ କେବେ ନହେଲା ପରି (11)
ଚଣ୍ଡମୟୂଖମଣ୍ଡଳ ସମାନ, ଚାହୁଁ ଚାହୁଁ ଯହୁଁ କଲା ବଦନ l
ଚାହୁକ ବାଜିଲା ପରି ମୁଁ ଡରେ, ଚିହିଁକି ପଡଇ ପହିଲୁ ଥରେ (12)
ଚମରି ନେତ୍ରା କି ସୁଖ ପାଦରେ, ଚକଟି ପକାଇଲା ଅନାଦରେ,
ଚକାଇ ସୁଧା ଯା କଲା ଅନ୍ୟଥା,ଚମତ୍କାର ଲାଗୁଛି ଏହି କଥା (13)
ଚିରନ୍ତନ ଜନ୍ମ ସୂକୃତରାଶି, ଚନ୍ଦ୍ରଚୂଳପାଦ ପ୍ରସାଦେ ମିଶି l
ଚାଣ୍ଡେ ଦେଇଥିଲା ବାଳାମଣିକି, ଚିପୁଡି ଦେଲା ସେ ଭାବ ଏଣିକି (14)
ଚେତ ମୋ ଯେବେ ନବଳେ ଅନ୍ନକୁ, ଚକାମୁଆଁ ସହେ ଦେବୀ ମାନଙ୍କୁ l
ଚଳୁଆ ସ୍ମର ଶାର୍ଦ୍ଦୁଳକୁ ଯେବେ, ଚର୍ବଣକର ବୋଲି ଦେଲା ଏବେ (15)
ଚିକିତ୍ସାଭଙ୍ଗୀ ମୋ ଅଙ୍ଗରେ ହେଜି, ଚଣ୍ଡିକା ସ୍ତୋତ୍ର ପଣ୍ଡିତାକୁ ଖୋଜି l
ଚନ୍ଦ୍ରବଦନ ବୋଳାଇ ମୋଦରେ, ଚାପସରି କାଢିଦିଏ ଆଦରେ (16)
ଚାଳଇ ଯେବେ ମୁଁ ଶୁଭ ସନ୍ଦେଶ, ଚିଟାଉରେ ଲେଖି ରହି ବିଦେଶ l
ଚାଙ୍ଗଡାଘର ଜୁରେ ଫରମାସେ, ଚରଚାକରେ ଚାରକୁ ହରଷେ (17)
ଚନ୍ଦ୍ରକୁ ଚନ୍ଦ୍ରିକା ପିଇବା ଆଶେ, ଚକୋର ପରି ଅନୁସରି ପାଶେ l
ଚିନ୍ତୁଥାଇ ଅସାଧାରଣ ଫଳ, ଚହକିଲା କାଳେ ସମ୍ପତି ମୂଳ (18)
ଚିକୁରପାଶରେ ଦନ୍ତପତ୍ରିକା, ଚଳାଇବାକୁ ହେବାରୁ ମୋ ଦକା l
ଚାକୁରେ କରଜ ଚିରୁଣୀପରି, ଚିରି ସଜଡାଇ ଆଶ୍ୱାସି କରି (19)
ଚେତା ବିହୁନେ ପହୁଡିବା କାଳେ, ଚିତ୍ରଇ ଚରଣ ଅଳତାବୋଳେ l
ଚେତିଲେ ଯାହାବୋଲେ ଲଭି ଲାଜ, ଚେତାଉ ନାହିଁ ସେ ରସକୁ ଆଜ (20)
ଚନ୍ଦ୍ରିକାବିହୀନ ରଜନୀ କାଳେ, ଚାନ୍ଦିନୀସୋପାନ ଉଠିବା ବେଳେ l
ଚନ୍ଦ୍ରଦୀପ ତା ଛାମୁରେ ନଥିଲେ, ଚେତନା ମୋ ଦେହେ ନଥାଇ ଭଲେ (21)
ଚାନ୍ଦୁଆ ଅବନ୍ଧା ମନ୍ଦୀର ତଳେ, ଚାଲଇ ଯେବେ କେବେ କୁତୂହଳେ l
ଚଉପହରା ଦାସୀଙ୍କ ଉପରେ, ଚାପୁଡା ଫରମାସଇ କୋପରେ (22)
ଚାଚକ୍ୟବନ୍ତ ସୁନ୍ଦର ଗାଲେ, ଚୁମ୍ବଇ ଯେବେ ମୁଁ କାମ ଅମଳେ l
ଚମକିବ ଭୀରୁ ବୋଲି ଏ ଡରେ, ଚୁମୁତ୍କାର ରବ ନକରେ ଥରେ (23)
ଚଉଦରୁ ବଳି ବୟସ ହେଲା, ଚଞ୍ଚଳ କ୍ରମ ତା କେବେ ନଗଲା l
ଚାକିରୀ କଲେ କରୁଥାଇ ହଟ ,ଚଉଡାଇ ଦେଇ କି ସ୍ନେହ ଘଟ (24)
ଚୁହାଁଚୁହିଁ ନାହିଁ ଆନରେ ବୋଲି, ଚକାରେ ନିୟମ ଯେତେ ମୁଁ କଲି l
ଚଉବିଂଶ ପଦୁଁ ବଳେ ଗଣିଲେ, ଚତୁର ସେ ଛୋଟରାୟ ଭଣିଲେ l
ଚାହିଁଲାତ ନାହିଁ, ଚକ୍ଷୁକୋଣେ ଚାରୁ ଚନ୍ଦ୍ରମାମୁହିଁ (25)
