ବୁଢ଼ା ବରଗଛ
ବୁଢ଼ା ବରଗଛ
କାହିଁ କେଉଁକାଳୁ ବୁଢ଼ା ବରଗଛ ଗାଆଁ ମୁଣ୍ଡେ ଅଛି ରହି
ତିନିଶ ବରଷ ଗାଁ ଇତିହାସ ମୁକ ସାକ୍ଷୀ ଆଖ୍ୟା ବହି ।
ଗ୍ରାମ ବାସୀଙ୍କର ଏହି ବୃକ୍ଷ ତଳ ଆଶା ଭରସାର ସ୍ଥଳ
ଖରା ବରଷାରେ ଶୀତରେ କାକରେ ପ୍ରାଣୀଙ୍କ ସହାୟ ବଳ |
ନାନା ଜାତି ପକ୍ଷୀ ଡାଳେ ନିବସନ୍ତି ବସା ବାନ୍ଧି ଚିରନ୍ତନ
ବକ ଶୁକ ଶାରୀ ପେଚକ ମଞ୍ଜାରୀ ଶାଗୁଣା ଚିଲ ଖଞ୍ଜନ |
ହଳଦୀ ବସନ୍ତ, ଚଷାପୁଅ ଗୀତ କାକ ବଣିର କୂଜନ
ପ୍ରଭାତ ଗୀତିକା ସଂଗୀତ ଗାୟନେ କରଇ ମନୋରଂଜନ |
ସାପ ଗୋଧି ଆଦି ସରୀସୃପରାଜି ଥାନ୍ତି କୋଟର ଆଦରି
ମୂଳେ ଗାତ କରି ମୂଷିକ ନେପାଳୀ କୋକି ଥାନ୍ତି ଆଶ୍ରା କରି |
ପ୍ରକାଣ୍ଡ ଶରୀର ଶାଖା ସୁବିସ୍ତାର ଗହଳ ପଲ୍ଲବେ ଭରା
ବିଶାଳ ଓହଳ ଭେଦି ଭୂମିପର ସ୍ତମ୍ଭ ସମ ଉଭା ପରା |
ସକାଳ ସନ୍ଧ୍ୟାରେ ଅବା ମଧ୍ୟାହ୍ନରେ ଶୁଭୁ ଥାଏ କୋଳାହଳ
ଓହଳରେ ଝୁଲି ଦୋଳି ଖେଳୁଥାନ୍ତି ବାଳକ ବାଳିକା ଦଳ |
ଏହି ଗଛମୂଳେ ଯାନୀ ଯାତ୍ରା ପର୍ବ ପର୍ବାଣି ହୁଏ ପାଳିତ
ବାହାଘର ବେଳେ ବରଯାତ୍ରୀ ଦଳ ଏଠି ହୁଅନ୍ତି ମିଳିତ |
କେତେ ଶୋଭାଯାତ୍ରା କେତେ ମହାଯାତ୍ରା ଦେଖି ହୋଇଛି ଅଧୀର
ବାଲ୍ୟରୁ ଯୌବନ ସବୁ ଖେଳାଲୀଳା ଦେଖିଛି ଚାରି ପିଢୀର |
ବନ୍ୟାରେ ବାତ୍ୟାରେ ପ୍ରକୃତି ସଙ୍ଗରେ କରିଛି ମହାସମର
ଧୋଇଯାଏ ମୂଳ ଭାଙ୍ଗିଯାଏ ଡାଳ ନଥାଏ ତାହାର ଡର |
କେତେ ଖଳ ମତି ତା ଶାଖା ହାଣନ୍ତି ତଥାପି ସେ ଅବିଚଳ
ପ୍ରାଣୀଙ୍କର ହିତ ସାଧନରେ ରତ ସଦା ଅଟଳ ଅଚଳ |
ବିଜ୍ଞାନ ଯୁଗରେ ମାନବତା ହତ ରାସ୍ତା ନିର୍ମାଣର ଛଳେ
ଅଥବା ବିଜୁଳି ତାର ସଂଯୋଗରେ ଡାଳ କାଟି ଲଣ୍ଡା କଲେ |
କମିଲା ତା ଭାଉ ପୂର୍ବ ପରି ଆଉ ଜମୁ ନାହିଁତ ଆସର
ପଶୁ ପକ୍ଷୀଙ୍କର ନାହିଁ ସମାହାର ଭାଙ୍ଗିଗଲା ତାଙ୍କ ଘର |
ବୁଢ଼ା ବରଗଛ ଅତୀତ ସୁମରି ଛାଡୁଅଛି ଦୀର୍ଘ ଶ୍ୱାସ
ଆଉକି ଫେରିବ ସେ ଆନନ୍ଦମୟ ତା ଅଭୁଲା ଇତିହାସ |
ଜୀବନ ଦର୍ଶନ କରୁଛି ପ୍ରଚାର ହେଜ ଏ ମାନବ ଜାତି
ଜଗତ କଲ୍ୟାଣେ ଜୀବନ ବିତରି ପାଉଛି ମୁଁ ମହାଶାନ୍ତି |
