ବୁଝାମଣା
ବୁଝାମଣା
ରାଗ -ଶଙ୍କରା ଭରଣ
ଜୀବନକଦମ୍ବ ଫୁଟେ
ହସେ ବାସ ଛୁଟେ,
ମନଯମୁନା ଉଛୁଳେ
ପରିବାର ହାଟେ,
ବୁଝାମଣା ଯଦି ଥାଏ,
ସମାଜର ସର୍ବସ୍ଥାନେ
ଶାନ୍ତି ଝର ବୁହେ ।
ପରିବାର ହେଉ ଅବା
ହେଉ ସେ ସମାଜ,
ପ୍ରତିକ୍ଷେତ୍ରେ ଆବଶ୍ୟକ
ହୋଇଥାଏ ଧୈର୍ଯ୍ୟ,
କାର୍ଯ୍ୟ ସଫଳତା ପାଇଁ,
ବୁଝି ବିଚାରି କହିବା
ଉଚିତ ଅଟଇ ।
ମନ ହେଉ ଅଛି ଘୋଡା
ମଣିଷ ଆରୋହୀ,
ବିବେକ ଲଗାମ
ଯଥା ସମୟରେ ଦେଇ
ଆତ୍ମ ନିୟନ୍ତ୍ରଣ କର
ମନ ବାଣୀ ଶରୀରରେ
ସଂଯମ ଆଚ଼ର ।
ବୁଝାମଣା ଥିଲେ
ମତ ପାର୍ଥକ୍ୟ ନ ଆସେ ,
ସମ ବିଚାର ଭାବନା
ବିଚାରରେ ମିଶେ,
ଏ ମଣିଷ ଶ୍ରେଷ୍ଠ ଜୀବ,
ସଦ ବିଚାରେ ଆଚାର
ମର୍ଯ୍ୟଦା ବଢିବ ।
ପରସ୍ପର ହୃଦ ଛବି
ଆଚ଼ରଣେ ଦୃଶ୍ୟ,
ସୂକ୍ଷ୍ମ ନିରୀକ୍ଷଣ କଲେ
ଦେଖିବ ଅଵଶ୍ଯ,
ସମମତ ଗ୍ରହଣୀୟ,
ଶୁକଦେବ ହେଲେ
ବିଷମୋକ୍ତି ବର୍ଜନୀୟ ।
ବୁଝାମଣା ଅଭାବରେ
ବନ୍ଧୁତା ନ ରହେ,
ଅନ୍ଧ ବୁଝାମଣା ମନେ
ବିଷ ଲେପି ଦିଏ ।
ଆମ କାୟ ମନୋବାକ୍ୟ,
ଆଚରଣେ ଉଚ୍ଚାରଣେ
ସାମ୍ୟ ଭାବ ଲକ୍ଷ୍ୟ ।
ରାଜପରିବାର ଅବା
ଦେଶର ଶାସନ-
ତନ୍ତ୍ରରେ ଏ ବୁଝାମଣା
ପ୍ରଗତି ସୋପାନ ,
ଅନୁଷ୍ଠାନେ କର୍ମଶାଳେ,
ପ୍ରେମଭାବନା ପ୍ରଦୀପ
ହୋଇ ଜ୍ୟୋତି ଢାଳେ,
ଦିବ୍ୟ ଭାବନା ପ୍ରକାଶେ,
ମହତ ବିଚାର ଆଣି
ଅଗ୍ରଗାମୀ ଦେଶେ ।
ଲକ୍ଷ୍ୟ ହାସଲ ନିମନ୍ତେ
ଉଦ୍ୟମ କରିବା,
ନିଜକୁ ଏକା ନ ଭାବି
ସାହାଯ୍ୟ ଲୋଡିବା,
ମୁଁ ବଦଳରେ ଆମେ,
ସଫଳତା ପ୍ରାପ୍ତ ହେବ
ପ୍ରତିଟି କରମେ ।
ଏ ସୃଷ୍ଟିରେ ବୁଝାମଣା
ଭାବ ଅନୁପମା,
ଏହାର ଅଭାବେ ନାଶ
ସର୍ଵସୁଖ ସୀମା,
ବୁଝାମଣାର ସନ୍ଧାନ,
ସମସ୍ୟା ନ ଉପୁଜଇ
ଆସେ ସମାଧାନ ।
