ବୁଢ଼ୀ ଓ କୁନିପିଲା ସାନୁ
ବୁଢ଼ୀ ଓ କୁନିପିଲା ସାନୁ
ନଇଁ ନଇଁ ନଇଁ ବାଡିଟିଏ ହାତେ ଧରି
ଠୁକୁଠୁକୁ କରି ଯାଉଯାଉ ବୁଢ଼ୀଟିଏ
ବାବୁ ବାବୁ ବୋଲି କହି
ବାଟ କଢେ ଗଲା ରହି
ହାତ ଧରି ମୋର ସେପଟକୁ ଟିକେ
ପାରି କରିଦେବ କିଏ ।।
କିଏ ଶୁଣୁଥିଲା କଥାକୁ ତାହାର ସତେ
ଦଳ ଦଳ କରି ଲୋକ ଯାଉଥିଲେ ମାଡି
କିଛି କାଳ ଗଲା ଚାଲି
ଉଡୁଥିଲା ଧୂଳି ବାଲି
ପେଏଁ ପାଆଁ କରି କଳା ଧୂଆଁ ଛାଡି
ଗଡି ଯାଉଥିଲା ଗାଡ଼ି ।।
ଏତିକି ବେଳକୁ ସେଇ ବାଟ ଦେଇ ସାନୁ
ଚାହାଳିରୁ ତା'ର ଫେରୁଥିଲା ପଢା ସାରି
ବୁଢ଼ୀଟିକୁ ଦେଖି ଆହା
କହିଲା କି ହେଲା ମାଆ
ଯିବ ଯେବେ ଆସ ହାତ ଧରି ତୁମ
କରିଦେବି ମୁହିଁ ପାରି ।।
ପାରି ହୋଇ ବୁଢ଼ୀ ହସିଲା ମୁରୁକି ହସ
କହିଲା ବାବୁରେ ଭଲ ପିଲାଟିଏ ତୁହି
ଧନ୍ୟ ତୋର ବାପା ମାଆ
ସଦା ସୁଖୀ ହୋଇ ଥାଆ
ସତେ ତୋହପରି ଏଡ଼େ ଉପକାରୀ
କାହିଁ ତ ଦେଖିନି ମୁହିଁ ।।
ଅଚିହ୍ନା ବୁଢ଼ୀକୁ ଶେଷରେ ଜୁହାର କରି
କୁନିପିଲା ସାନୁ ଘରକୁ ଆସିଲା ଧାଇଁ
ବସି ଭାବିହେଲା ଯେତେ
ଖୁସି ହେଲା ସେତେ ସେତେ
ମନେହେଲା ତା'ର ହୋଇଛି ସେ ସୁଖୀ
ମାଆର ଆଶିଷ ପାଇ ।।