ବସନ୍ତର ଆଗମନେ
ବସନ୍ତର ଆଗମନେ
ବସନ୍ତ ଆସିଛି ନେଇକି ସାଙ୍ଗରେ
ରଙ୍ଗର ତୂଳୀକୁ ଧରି
ନିଜ ଇଚ୍ଛାମତେ ସଜେଇ ଦେବାକୁ
ଶପଥ ଯେମିତି ଜାରି।
ଶୀତ ଯାଇନାହିଁ ବଡ଼ ବ୍ଯାକୁଳିତ
ଶାସନ ସୌନ୍ଦର୍ଯ୍ଯ ଭରା
ପ୍ରତିଟି ଉଦ୍ଭିଦ ଅଥବା ପ୍ରାଣୀଙ୍କୁ
ଭରିବାକୁ ଆଗତୁରା।
ଉଦ୍ଭିଦ ହୃଦୟେ ଫୁଲର ପସରା
ବୁଣିବ ସୌନ୍ଦର୍ଯ୍ଯ ପାଇଁ
ପ୍ରାଣୀଙ୍କ ମନରେ କାମନାର ଢେଉ
ଝରିବ ଭବିଷ୍ଯ ପାଇଁ।
ଉଦ୍ଭିଦ ନିଜର ଦେହକୁ ସଜେଇ
ପୃଥିବୀ ପାଇଁ ତା' କର୍ମ
ପ୍ରାଣୀ ବି ଶପଥ ଏ ମରତ ଭୂମେ
କରିବାକୁ ନିଜ ଧର୍ମ।
ଜଗତ କଲ୍ଯାଣ ପାଇଁକି ସୃଜିଛି
ମହା ଶିବରାତ୍ରୀ ବ୍ରତ
ଆନନ୍ଦ ଉଲ୍ଲାସେ ଭରିଦେବା ପାଇଁ
ଦୋଳ ପୂର୍ଣ୍ଣିମା ହିଁ
ମିତ୍ର।
ବସନ୍ତ ଆସିଛି ସଭିଙ୍କୁ ଆନନ୍ଦ
ଦେବାକୁ ଅଣ୍ଟା ଭିଡି଼ଛି
ବସନ୍ତର ଲକ୍ଷ୍ଯ ଅଥବା ଉଦ୍ଦେଶ୍ଯ
ସଫଳ ହେଉ ଭାବୁଛି।
ଆସରେ ସଭିଏଁ ହେ ଜଗତବାସୀ
ସୁକର୍ମରେ ଲାଗିଯିବା
ଭାଇଚାରା ଗଢି଼ ବସନ୍ତ ଉଦ୍ଦେଶ୍ଯ
ସଫଳତା ଭରିଦେବା।
ମନ ଗହନରୁ ତେଜିବା ସଭିଏଁ
ହିଂସା ଦ୍ୱେଷ ହତ୍ଯା ଯେତେ
ଦୁଃଖୀର ଜୀବନେ ସହଭାଗୀ ହୋଇ
ହସ ଫୁଟାଇବା ହିତେ।
ପ୍ରତି ହୃଦେ ଯଦି ଇଷ୍ଟ ବିରାଜିତ
ଭାବିବା ଆମେ ହିଁ ଶିବ
ଦୁଃଖ କଷ୍ଟ ହରି ହସର ଜୁଆର
ହେଉ ସଭିଙ୍କର ଭାବ।
ହେ ବସନ୍ତ ତୁମେ କର୍ମ କରୁଥାଅ
ତୁମକୁ ହିଁ ଅନୁସରି
ଆମେ ବି ଯାଉଛୁ ତୁମରି ପଛରେ
ଧର୍ମ ସହ କର୍ମ କରି।