ବୃଥା ସପନ
ବୃଥା ସପନ
ଅଣ୍ଡା ଟୋକେଇଟି ମୁଣ୍ଡରେ ଧରି
ପାର ନାନୀ ଯାଏ ବେପାର କରି ।
ସତର ବୟସୀ ତନୁ ପାତଳି
ଅଙ୍ଗେ ଯଉବନ ଉଠୁଛି ଝଳି ।
ବାଟେ ଚାଲୁ ଚାଲୁ ଭାବଇମନ
କଳପନା କରେ ସୁଖ ସପନ ।
ଅଣ୍ଡା ବିକି ନିତି ସଞ୍ଚିବି ଧନ
ଦିନୁ ଦିନ ବିକ୍ରି ହେବ ବର୍ଦ୍ଧନ ।
ଲକ୍ଷେ ଅଣ୍ଡା ମାସକରେ ଵିକିଵି
ସ୍ଥାୟୀ ଭାବେ ଦୋକାନଟେ କରିବି ।
ସହରରୁ ଅଣ୍ଡା କିଣିବି ଯାଇ
ଅଣ୍ଡା ଗୋଦାମଟେ ଦେବି ବନାଇ ।
ଟାଟା ଏ ସି ଗାଡ଼ିଟିଏ କିଣିବି
ଡ୍ରାଇଭର ପିଲା ଜଣେ ରଖିବି ।
ଦିନେ ସବୁ ଅଣ୍ଡା କିଣି ଆଣିବି
ଚଢ଼ା ଦରେ ସବୁ ବିକ୍ରି କରିବି ।
ଡିହ କିଣି ଖଣ୍ଡେ ଘର କରିବି
ସୁନ୍ଦରିଆ ବର ବାହା ହୋଇବି ।
ଛୁଆ ପିଲା ମୋର ହେବେ ଜନମ
ହସୁଥିବ ଘର ସରଗ ସମ ।
ସୋଫା ପରେ ବସି ହୁକୁମ ଦେବି
ଚାକରଙ୍କୁ କାମେ ଲଗାଇ ଦେବି ।
ପୁଅ ଝିଅ ମୋର ହୋଇଲେ ମେଳି
ନିତି କରୁଥିବେ ଝଗଡ଼ା କଳି ।
ଦିନେ ରାଗି ଯାଇ ରୁଷି ବସିବି
ଯିଏ ଡାକିଲେ ବି ଜମା ନଯିବି ।
ଏତିକି ବେଳରେ ବଡ଼ ପୁଅଟି
ହାତ ଧରି ମୋତେ ଟାଣୁ ଥିବଟି ।
ରାଗରେ ତାହାର ହାତକୁ ଛାଟି
ନାଇଁ ମୁଁ ଯିବିନି କହି ଦେବିଟି ।
ଏତେ କହୁ ହଲି ଗଲା ତା ମୁଣ୍ଡ
ଅଣ୍ଡାଝୁଡି ପଡ଼ି ହୋଇଲା ଗୁଣ୍ଡ ।
ଘଡ଼ିକେ ସପନ ଗଲା ମିଳାଇ
ବୃଥା ସପନକୁ ଦେଖନା କାହିଁ ।
ସପନ ଦେଖିଲେ ହେବ ହୀନସ୍ଥା
ଦେଖିଲେ ଯେମିତି ପାର ଅବସ୍ଥା ।